ଜିଲ୍ଲା ଶିକ୍ଷା ବିଭାଗର ଖାମଖିଆଲି ନୀତି: ଠିକ୍ ସମୟରେ ମିଳୁନି ଦରମା, ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ନୟାଗଡ଼, ୨୩/୫ :ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷାଦାନ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଥିବା ବେଳେ, ଏହାର ସଫଳ ରୂପାୟନ କରୁଥିବା ଶିକ୍ଷକ ସମାଜ ପ୍ରତି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଆଭିମୁଖ୍ୟ ନୈରାଶ୍ୟଜନକ ହୋଇପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୨ ହଜାରରୁ ଉର୍ଦ୍ଧ୍ୱ ମାଧ୍ୟମିକ ଶିକ୍ଷକମାନଙ୍କୁ ଦୀର୍ଘ ଦିନ ହେବ ନିୟମିତ ଓ ଠିକ୍ ସମୟରେ ଦରମା ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଜିଲ୍ଲାର ଶିକ୍ଷକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନଙ୍କ ମଧ୍ୟରେ ଗଭୀର ମାନସିକ ସ୍ଥିତି ଉପଜିଛି, ଯାହାର ସିଧାସଳଖ ପ୍ରଭାବ ସ୍କୁଲଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଅନୁସାରେ, ପ୍ରତ୍ୟେକ ସରକାରୀ କର୍ମଚାରୀ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ପାଇବାକୁ ହକଦାର। ଏଥିପାଇଁ ମାସ ଶେଷ ହେବାର ୫ ଦିନ ପୂର୍ବରୁ ଦରମା ବିଲ୍ ପ୍ରସ୍ତୁତ କରି ଟ୍ରେଜେରୀ ଅଫିସକୁ ପଠାଇବାକୁ ନିୟମ ରହିଛି। ମାତ୍ର ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେଉଥିବା ନଜରକୁ ଆସିଛି। ସୂଚନା ଅନୁସାରେ ଗତବର୍ଷ ଅକ୍ଟୋବର ମାସ ଦରମା ନଭେମ୍ବର ୧୧ ତାରିଖରେ ମିଳିଥିବା ବେଳେ ନଭେମ୍ବର ମାସ ଦରମା ଡିସେମ୍ବର ୪ରେ, ଡିସେମ୍ବର ମାସ ଦରମା ଜାନୁଆରୀ ୭, ଜାନୁଆରୀ ମାସ ଦରମା ଫେବୃଆରୀ ୫, ଫେବୃଆରୀ ମାସ ଦରମା ମାର୍ଚ୍ଚ ୯, ମାର୍ଚ୍ଚ ମାସ ଦରମା ଏପ୍ରିଲ ୧୬, ଏପ୍ରିଲ ମାସ ଦରମା ଚଳିତ ମଇ ୬ ତାରିଖ ଦିନ ମିଳିଥିଲା। ମାସ ଶେଷ ହେଲେ ଘର ଭଡ଼ା, ବ୍ୟାଙ୍କ ଋଣର ମାସିକ କିସ୍ତି, ପିଲାଙ୍କ ସ୍କୁଲ ଫିସ୍, ଟିଉସନ୍ ଫିସ୍ ତଥା ପରିବାରର ଚିକିତ୍ସା ଖର୍ଚ୍ଚ ପାଇଁ ଶିକ୍ଷକଟିଏ ନିଜ ଦରମା ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ମାସ ପରେ ମାସ ଏଭଳି ବିଳମ୍ବରେ ଦରମା ମିଳୁଥିବାରୁ, ଶିକ୍ଷକମାନେ ଧାର-କରଜ କରି ଚଳିବାକୁ ବାଧ୍ୟ ହେଉଛନ୍ତି।ଏପରିକି ବ୍ୟାଙ୍କ କିସ୍ତି ଠିକ୍ ସମୟରେ ପୈଠ ନକରି ପାରିବାରୁ ଅଯଥା ଜରିମାନା ଦେବା ସହ ସେମାନଙ୍କୁ ସମାଜରେ ଅପଦସ୍ତ ହେବାକୁ ପଡ଼ୁଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦାସୀନତା ଏବଂ ଆକାଉଣ୍ଟସ୍ ବିଭାଗ କିରାଣୀ ମାନଙ୍କର ଅବହେଳା ଯୋଗୁଁ ହିଁ ପ୍ରତିମାସ ବିଲ୍ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାକୁ ନେଇ ନୂତନ ପେନସନ ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ, ପୁରୁଣା ଓ ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ଶିକ୍ଷକ ସଂଘ, ଓଷ୍ଟା ଏବଂ ୟୁଟିଆ ଆଦି ପ୍ରମୁଖ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।ଶିକ୍ଷକ ମାନଙ୍କୁ ପ୍ରତିମାସର ଶେଷ କାର୍ଯ୍ୟ ଦିବସରେ ଦରମା ପ୍ରଦାନ ନିଶ୍ଚିତ କରିବା ପାଇଁ ସଂଗଠନଗୁଡ଼ିକ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି।