Main News Odisha Odisha News 

ନର୍ସଙ୍କ ଭୁଲରେ ନୀରିହ ଶିଶୁ ଅନ୍ଧ ଆଖିରେ ନାଜାଲ ଡ୍ରପ୍ ପକାଇଦେବାରୁ ଦୃଷ୍ଟିଶକ୍ତି ଗଲା

ଡାକ୍ତରଖାନାରେ ସ୍ୱାସ୍ଥ୍ୟକର୍ମୀଙ୍କ ବେପରୁଆ କାମ ଯୋଗୁଁ ଜଣେ କୁନି ଶିଶୁ ସବୁଦିନ ପାଇଁ ଦୃଷ୍ଟିହୀନ ହୋଇଯାଇଛି। ଏପରି ହୃଦୟବିଦାରକ ଘଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲା ଭୁଷା କମଲପୁର ଗାଁରେ ଘଟିଛି।

ଅଭିଯୋଗ ଅନୁଯାୟୀ, ଗାଁର ବିନୟ ବିଶ୍ୱକର୍ମାଙ୍କ ପୁଅର ଭୀଷଣ ଜ୍ୱର, ଥଣ୍ଡା ଓ କଫ ହୋଇଥିବାରୁ ତାକୁ ନେଇ ବନ୍ଦା ସିଭିଲ ହସ୍ପିଟାଲ ଯାଇଥିଲେ। ଓପିଡିରେ ଡାକ୍ତର କଫ ପାଇଁ ନାଜାଲ ଡ୍ରପ୍, ଜ୍ୱର ପାଇଁ ପାରାସିଟାମଲ୍ ଏବଂ ଆଖି ପାଇଁ ଡ୍ରପ୍ ଲେଖିଥିଲେ। ପିଲାର ଅବସ୍ଥା ଗୁରୁତର ଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା।

କିନ୍ତୁ ଡ୍ୟୁଟିରେ ଥିବା ଜଣେ ନର୍ସ ବଡ ଭୁଲ କରିବସିଲେ। ସେ ନାଜାଲ ଡ୍ରପ୍‌କୁ ପିଲାର ଆଖିରେ ପକାଇ ଦେଇଥିଲେ। କିଛି ମିନିଟ୍ ମଧ୍ୟରେ ପିଲାର ଅବସ୍ଥା ବିଗିଡିବାରେ ଲାଗିଲା ଏବଂ ସେ ଆଖିରେ ଦେଖିପାରୁନଥିଲା। ତୁରନ୍ତ ଡାକ୍ତରଙ୍କୁ ଜଣାଇବା ପରେ ଜଣାପଡିଲା ଯେ ଆଖି ଡ୍ରପ୍ ଜାଗାରେ ନାଜାଲ ଡ୍ରପ୍ ପକାଯାଇଛି।

ପିଲାର ଅବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପରେ ଭୋପାଲ ଏମ୍ସକୁ ରେଫର କରାଗଲା। ସେଠାରେ ପରୀକ୍ଷା ପରେ ଡାକ୍ତର କହିଲେ ଯେ ଶିଶୁର ଦୃଷ୍ଟିଶକ୍ତି ସବୁଦିନ ପାଇଁ ଚାଲିଯାଇଛି। ତଥାପି ତାର ଚିକିତ୍ସା ଜାରି ରହିଛି।

ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ

ପୁଅର ଏଭଳି ଅବସ୍ଥା ପାଇଁ ବିନୟ ବନ୍ଦା ସିଭିଲ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ଦାବି କରିଛନ୍ତି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ 3 ଜଣିଆ ଇନକ୍ୱାରି କମିଟି ଗଠନ କରାଯାଇଛି। ପୋଲିସ ମଧ୍ୟ ପୃଥକ ତଦନ୍ତ କରୁଛି।

ରାଜ୍ୟରେ ବାରମ୍ବାର ଘଟୁଛି ଏପରି ଘଟଣା

ସ୍ୱାସ୍ଥ୍ୟକର୍ମୀଙ୍କ ଏପରି ଅବହେଳା ଯୋଗୁଁ ଜଣେ ନିରୀହ ଶିଶୁର ଭବିଷ୍ୟତ ଅନ୍ଧାର ହୋଇଯାଇଛି। ଏଭଳି ଘଟଣା ଆମ ଦେଶ ତଥା ଆମ ରାଜ୍ୟରେ ବି ନୂଆ ନୁହେଁ। କିଛି ମାସ ତଳେ କେନ୍ଦ୍ରାପଡାରେ ଜଣେ ବ୍ୟକ୍ତିଙ୍କୁ ଛାତି ଯନ୍ତ୍ରଣା ପାଇଁ ଡାକ୍ତରଖାନା ନେଲେ ତାଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦିଆଯାଇଥିଲା। ସେହିପରି ବଲାଙ୍ଗୀର, କୋରାପୁଟ, ଯାଜପୁରେ ମଧ୍ୟ ଭୁଲ ଔଷଧ ଓ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଭଳି ଘଟଣା ଘଟିସାରିଛି।

ଜୀବନ ବଞ୍ଚାଇବା ପାଇଁ ଲୋକେ ଡାକ୍ତରଖାନା ଯାଉଥିବା ବେଳେ ଯଦି ଏଭଳି ଅବହେଳା ହୁଏ, ତେବେ ଆଉ କାହା ଉପରେ ଭରସା କରିବେ ବୋଲି ପ୍ରଶ୍ନ ଉଠିଛି।

Related posts

Leave a Comment