ହତ୍ୟା କରି ନଦୀରେ ଫୋପାଡିଦେଲ ନଦୀରୁ ମୃତଦେହ ଉଦ୍ଧାର
ନୟାଗଡ ସଦର ଥାନା ଅନ୍ତର୍ଗତ ଡାଳିମ୍ବମଡ଼ା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରି ନଦୀରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ନଦୀରୁ ମୃତଦେହ ଉଦ୍ଧାର କରିଛି।ମୃତକଙ୍କ ନାମ ଅଭିମନ୍ୟୁ ସାହୁ ବୋଲି ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ 4ରୁ 5 ବର୍ଷ ହେବ ଗ୍ରାମ ପକ୍ଷରୁ ଅଭିମନ୍ୟୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯିବା ସହ ହଇରାଣ କରାଯାଉଥିଲା ।ଏପରିକି ଗ୍ରାମର କେତେକ ଲୋକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଗତକାଲି ଗ୍ରାମର କିଛି ବ୍ୟକ୍ତି ଅଭିମନ୍ୟୁଙ୍କୁ ନଦୀ ବନ୍ଧକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ମାରି ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଭସାଇ ଦେଇଥିଲେ। ଏନେଇ ଥାନାରେ ଏତଲା ଦେଇଥିଲେ।
ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବାବେଳେ ଗିରଫଦାରୀ ଭୟରେ ପୁରୁଷ ଗାଁ ଛାଡି ପଳାଇ ଯାଇଥିବା ସୂଚନା ମିଳିଛି।
