ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ନାମରେ ଜାଲ୍ ଚିଠି, ଥାନାରେ ଏଫଆଇଆର୍
ନୟାଗଡ଼ ଜିଲ୍ଲାରେ ପୂର୍ବତନ ସାଂସଦ ତଥା ବିଜେପି ଜାତୀୟ ପରିଷଦ ସଦସ୍ୟ ଶ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନାମ, ଲେଟରହେଡ୍, ଦସ୍ତଖତ ଓ ମୋହର ବ୍ୟବହାର କରି ଏକ ମିଥ୍ୟା ଓ ଜାଲ୍ ଚିଠି ତିଆରି କରି ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଏଫଆଇଆର୍ ରୁଜୁ ପାଇଁ ଦାବି କରିଛନ୍ତି।
କ’ଣ ଥିଲା ଅଭିଯୋଗ
ଶ୍ରୀମତୀ ସିଂହ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତା. 02.୦7.2026ର ଏକ ଜାଲ୍ ଚିଠି “ରେଫ. ନଂ. ୧୬୫/NYG/୨୦୨୬” ଫେସବୁକ୍, ହ୍ୱାଟ୍ସଆପ୍ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଉକ୍ତ ଚିଠିରେ ମିଥ୍ୟା ଭାବେ ଦର୍ଶାଯାଇଛି ଯେ ସେ ଜଣେ ସରକାରୀ ଅଧିକାରୀଙ୍କୁ ନୟାଗଡ଼ ଜିଲ୍ଲାରୁ ବଦଳି କରିବା ପାଇଁ ଅନୁରୋଧ କରିଛନ୍ତି।
ସେ ସ୍ପଷ୍ଟ କରିଛନ୍ତି ଯେ ସେ ଉକ୍ତ ଚିଠି ଲେଖିନାହାଁନ୍ତି, ଦସ୍ତଖତ କରିନାହାଁନ୍ତି କି ଜାରି ମଧ୍ୟ କରିନାହାଁନ୍ତି। ତାଙ୍କର ନାମ, ପଦବୀ, ଲେଟରହେଡ୍ ଏବଂ ମୋହରକୁ ତାଙ୍କ ଅଜାଣତରେ ନକଲ କରାଯାଇ ଅପବ୍ୟବହାର କରାଯାଇଛି।
ଉଦ୍ଦେଶ୍ୟ ଓ ଆଇନଗତ ପଦକ୍ଷେପ
ଏହି ଜାଲ୍ ଚିଠି ଜରିଆରେ ତାଙ୍କର ବ୍ୟକ୍ତିଗତ ଓ ରାଜନୈତିକ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ସହ ଜିଲ୍ଲାରେ ଭୁଲ୍ ବୁଝାମଣା ସୃଷ୍ଟି କରିବା ଉଦ୍ଦେଶ୍ୟ ଥିବା ସେ କହିଛନ୍ତି।
ଏ ସମ୍ପର୍କରେ ସେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଏବଂ ଆଇଟି ଆଇନ, ୨୦ ଅନୁଯାୟୀ ଜାଲିଆତି, ମାନହାନି ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମିଥ୍ୟା ପ୍ରସାରଣ ଅଭିଯୋଗ ଆଣିଛନ୍ତି।
ତଦନ୍ତ ଦାବି
ଅଭିଯୋଗରେ ସେ ଦାବି କରିଛନ୍ତି ଯେ, “ସବ୍ୟସାଚୀ ଅମିତାଭ” ନାମକ ଏକ ଫେସବୁକ୍ ଆକାଉଣ୍ଟ ଏହି ଜାଲ୍ ଚିଠିକୁ ପ୍ରସାରଣ କରୁଛି। ତେଣୁ ଜାଲ୍ ଚିଠିର ପ୍ରକୃତ ସୃଷ୍ଟିକର୍ତ୍ତା, ପ୍ରସାରଣକାରୀ ଓ ସଂପୃକ୍ତ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର ତୁରନ୍ତ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେ ଜାଲ୍ ଚିଠିର ସ୍କ୍ରିନସଟ୍ ଓ ପ୍ରକୃତ ଦସ୍ତଖତ ନମୁନା ମଧ୍ୟ ପୋଲିସକୁ ପ୍ରଦାନ କରିଛନ୍ତି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ଜଣାପଡ଼ିଛି।
