SIR’ ଉପରେ ସୁପ୍ରିମକୋର୍ଟଙ୍କ ମୋହର: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବୈଧ, ଖାରଜ ହେଲା ଆବେଦନ

ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସୁଧାର ଆଣିବା ଦିଗରେ ଦେଶର ସର୍ବୋଚ୍ଚ ଅଦାଲତ ‘ସୁପ୍ରିମକୋର୍ଟ’ ଆଜି ଏକ ବଡ଼ ଓ ଐତିହାସିକ ରାୟ ଶୁଣାଇଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା SIR (Special Intensive Revision) ପ୍ରକ୍ରିୟାକୁ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, SIR ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ଏବଂ ନିର୍ବାଚନ କମିଶନ ନିଜ ସୀମା ବାହାରକୁ ଯାଇ ନୁହେଁ, ବରଂ ନିଜର ସାମ୍ବିଧାନିକ କ୍ଷମତାର ସଦୁପଯୋଗ କରି ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ‘ଅସାମ୍ବିଧାନିକ’ କହି ଖାରଜ କରାଯାଇପାରିବ ନାହିଁ । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ବିହାର ଏବଂ ଅନ୍ୟ କେତେକ ରାଜ୍ୟରେ ମତଦାତା ତାଲିକାର ସଂଶୋଧନ ପାଇଁ ଲାଗୁ ହୋଇଥିବା ଏହି ନିୟମ ବିରୋଧରେ ହୋଇଥିବା ଆବେଦନଗୁଡ଼ିକୁ କୋର୍ଟ ଖାରଜ କରିଦେଇଛନ୍ତି ।
ସାଧାରଣ ସଂଶୋଧନଠାରୁ ଭିନ୍ନ ହେଲେ ବି ଏହା ଆଇନଗତ ଭାବେ ସିଦ୍ଧ:
ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ସାଧାରଣ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାଠାରୁ SIR ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ‘ବେଆଇନ’ ବୋଲି କୁହାଯାଇପାରିବ ନାହିଁ । ଏହା ଏକ ସମ୍ପୂର୍ଣ୍ଣ ବୈଧ, ସାମ୍ବିଧାନିକ ଏବଂ ଆଇନଗତ ପ୍ରକ୍ରିୟା । ଦେଶରେ ସୁରୁଖୁରୁରେ ଏବଂ ସ୍ୱଚ୍ଛ ଭାବେ ନିର୍ବାଚନ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସମୟର ଆବଶ୍ୟକତା ଥିଲା ।
ଭୋଟର ତାଲିକାରୁ ନାଁ କାଟିବା ନିୟମ ବିରୋଧୀ ନୁହେଁ:
ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଏହି ପ୍ରକ୍ରିୟା ଦ୍ୱାରା ଭୋଟରଙ୍କ ଉପରେ ନିଜର ସତ୍ୟତା ପ୍ରମାଣିତ କରିବା ପାଇଁ ଅଯଥା ବୋଝ ପଡ଼ୁଛି । ତେବେ ମାନ୍ୟବର କୋର୍ଟ ଏହି ଆପତ୍ତିକୁ ଗ୍ରହଣ କରିନାହାନ୍ତି । କୋର୍ଟ କହିଛନ୍ତି: “ଯଦି କୌଣସି ବ୍ୟକ୍ତି ନିଜର ପୁରୁଣା ବାସସ୍ଥାନ ଛାଡ଼ି ଅନ୍ୟତ୍ର ରହୁଛନ୍ତି, ତେବେ ବି ସେ ପୁରୁଣା ପ୍ରକ୍ରିୟାରୁ ବାଦ୍ ପଡ଼ନ୍ତି ନାହିଁ । ପୁରୁଣା SIR ତାଲିକାରେ ତାଙ୍କର କିମ୍ବା ତାଙ୍କ ପରିବାରର ନାମ ନିଶ୍ଚିତ ଥିବ । ଯଦି ନିୟମ ଅନୁଯାୟୀ SIR ମାଧ୍ୟମରେ କାହାର ନାଁ ଭୋଟର ତାଲିକାରୁ କଟାଯାଉଛି, ତେବେ ତାହାକୁ ନିୟମ ବିରୁଦ୍ଧ ବୋଲି କୁହାଯାଇପାରିବ ନାହିଁ ।”
ନିର୍ବାଚନ କମିଶନ ନାଗରିକତ୍ୱ ସ୍ଥିର କରୁନାହାନ୍ତି:
ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ କମିଶନ ଦଲିଲଗୁଡ଼ିକର ବିଶ୍ୱସନୀୟତା ଓ ସତ୍ୟତା ଆଧାରରେ ହିଁ ମତଦାତା ତାଲିକାରେ ସ୍ଥାନ ଦେଇଛନ୍ତି । ଏହାକୁ ଆଦୌ ‘ମନମୁଖୀ’ ବୋଲି କୁହାଯାଇପାରିବ ନାହିଁ । ଏହି SIR ପ୍ରକ୍ରିୟାର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ତାଲିକାରୁ ବାଦ୍ ଦେବା ନୁହେଁ । ଯଦି କୌଣସି ବ୍ୟକ୍ତିଙ୍କ ଦସ୍ତାବିଜ୍ ବା ଡକ୍ୟୁମେଣ୍ଟ ଠିକ୍ ନଥାଏ, ତେବେ ନିର୍ବାଚନ କମିଶନଙ୍କର ତାଙ୍କ ନାଁ ଭୋଟର ତାଲିକାରେ ସାମିଲ ନକରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହାର ଅର୍ଥ ଏହା ନୁହେଁ ଯେ ନିର୍ବାଚନ କମିଶନ କାହାର ନାଗରିକତ୍ୱ ନିର୍ଦ୍ଧାରଣ କରୁଛନ୍ତି । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, SIR ପ୍ରକ୍ରିୟା ସମ୍ବିଧାନ ଏବଂ ଲୋକ ପ୍ରତିନିଧି ଅଧିନିୟମର ସମସ୍ତ ମାପଦଣ୍ଡକୁ ପୂରଣ କରୁଛି । ଯେହେତୁ ଭୋଟର ତାଲିକା ପ୍ରସ୍ତୁତ କରିବା ଏକ ବ୍ୟାପକ ଏବଂ ଜଟିଳ କାର୍ଯ୍ୟ, ତେଣୁ ନିର୍ବାଚନ କମିଶନଙ୍କର ନିଜସ୍ୱ ନିୟମ ଓ ପ୍ରକ୍ରିୟା ସ୍ଥିର କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । କମିଶନ ନାଗରିକତ୍ୱ ସ୍ଥିର କରନ୍ତି ନାହିଁ, ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ପ୍ରକାଶ ପାଏ, ତେବେ ସେହି ମାମଲାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇପାରିବ ।