ସଂପ୍ରସାରଣ ନେଇ ସଙ୍କେତ

ଭୁବନେଶ୍ବରରୁ ଦିଲ୍ଲୀ… ସବୁଠି ହଟଚମଟ୍। ଖୁବ୍ ଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଦିଲ୍ଲୀରେ ମୋହନ-ମନମୋହନଙ୍କ ଡେରା। ତା ସହିତ ସୋମବାର ପ୍ରଧାନମନ୍ତ୍ରୀ ଓ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାକ୍ଷାତ ଆଲୋଚନା। ଏଣେ ମୋହନ ସରକାରର ୨ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ସଙ୍କେତ ଦେଇଛନ୍ତି ଦୁଇ ଟାଣୁଆ ମନ୍ତ୍ରୀ ସୁରେଶ ପୂଜାରୀ ଓ ପୃଥୀରାଜ୍ ହରିଚନ୍ଦନ। ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ।
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଏବେ ମୋଟ୍ ୧୬ ଜଣ ମନ୍ତ୍ରୀ ଅଛନ୍ତି। ନିୟମ ଅନୁଯାୟୀ ମନ୍ତ୍ରିମଣ୍ଡଳରେ ଆଉ ୬ ଜଣଙ୍କୁ ସ୍ଥାନ ମିଳିପାରିବ। ବଡ଼ ପ୍ରଶ୍ନ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲେ କେଉଁ କେଉଁ ନୂଆ ଚେହେରାକୁ ମିଳିବ ସ୍ଥାନ? କାହାର ପତ୍ତା କଟିବ, କାହାର ବିଭାଗ ବଦଳିବ? ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ମିଳିବ ନା, ଅଭିଜ୍ଞତା ଏବଂ ସରକାରଙ୍କ ବିଶ୍ବାସ ଜିଣି ପାରୁଥିବା ବିଧାୟକଙ୍କୁ ମିଳିବ ଅଗ୍ରାଧିକାର?
ତେବେ ମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ରେସ୍ ରେ ଥିବା କୁହାଯାଉଛି, ସେମାନଙ୍କ ଭିତରେ ଅଛନ୍ତି ଯୁବ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ମାନସ ଦତ୍ତ, ସନ୍ତୋଷ ଖଟୁଆ, ପଶ୍ଚିମ ଓଡ଼ିଶାରୁ ଇରାଶିଷ ଆଚାର୍ଯ୍ୟ ଓ ଟଙ୍କଧର ତ୍ରିପାଠୀ। ସେହିପରି ଯାଜପୁରରୁ ଆକାଶ ଦାସ ନାୟକ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ଏକାମ୍ର ବିଧାୟକ ବାବୁ ସିଂଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଦକ୍ଷିଣ ଓଡ଼ିଶା କଥା ଦେଖିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରାପୁଟର ରଘୁରାମ ମାଛ ଓ ସରୋଜ ପ୍ରଧାନ ଏବଂ ମହିଳା ଚେହେରା ଭାବେ ବିଧାୟିକା ସଞ୍ଜଳି ମୁର୍ମୁ ଓ ଉପାସନା ମହାପାତ୍ରଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ସେପଟେ ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଦାୟିତ୍ବ ମିଳିଲେ ସେ ତାକୁ ସୁଚାରରୂପେ ତୁଲାଇବେ।