ହାତୀକୁ ମାରି ପୋତି ଦେଲେ

ହିନ୍ଦୋଳ ସଦର ମହକୁମା ଚରଣପୁରଠାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୁବେର ରାଜଙ୍କ ଫାର୍ମ ହାଉସ୍‌ ରେ ଦୁଇଦିନ ତଳେ ଏକ ହାତୀକୁ ମାରି ପୋତି ଦିଆଯାଇଥିବା ବନ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରବିବାର ଚଢ଼ଉ କରିଥିଲା। ରାତି ହୋଇ ଯାଇଥିବାରୁ ତଦନ୍ତ ବିଶେଷ ଆଗେଇ ପାରିନଥିଲା। ଆଜି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫାର୍ମ ହାଉସ୍‌ର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଖୋଳାଯିବା ପରେ ସେଥିରୁ ହାତୀର ଗଳିତ ମୃତଦେହ ମିଳିଥିଲା।
ହାତୀର ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପୁଣି ପୋତି ଦିଆଯାଇଛି। ମାଖନା ହାତୀର ବୟସ ୩୦ ବର୍ଷ ପାଖାପାଖି ହେବ। ୩ ଦିନ ଆଗରୁ ଏହାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏପଟେ ହାତୀକୁ ୧୧ ‌କେଭି ବିଦ୍ୟୁତ୍‌ ଲଗାଇ ମରାଯାଇଥିବା ମଧ୍ୟ ଫାର୍ମ ହାଉସ ମାଲିକ ସ୍ବୀକାର କରିଥିବା ବନ ବିଭାଗ ଅଧିକାରୀ କହିଛନ୍ତି।ଅପରପକ୍ଷେ ଫାର୍ମ ହାଉସ୍‌ରେ ଭଲ ଆମ୍ବ ହୋଇଥିଲା। ଏଥିପାଇଁ ହାତୀ ବାରମ୍ବାର ଆମ୍ବ ଖାଇବାକୁ ଆସୁଥିଲା। ଏହା ଦେଖି ମାଲିକ ମୁଣ୍ଡରେ ସଇତାନ ସବାର ହେଲା। ଫାର୍ମ ହାଉସ୍‌ରେ ଲାଗିଥିବା ସୌରବାଡ଼ରେ ୧୧ କେଭି ବିଦ୍ୟୁତ୍‌ ଚାର୍ଜ କରିଦେଲେ। ଆଉ ଏଥିରେ ଲାଗି ଏକ ମାଖନା ହାତୀର ମୃତ୍ୟୁ ହୋଇଛି। ଢେଙ୍କାନାଳଜିଲ୍ଲା ହିନ୍ଦୋଳ ସହରରେ ଥିବା କୁବେର ରାଜଙ୍କ ଫାର୍ମ ହାଉସ୍‌ରେ ଏହି ହାତୀକୁ ମାରି ଦିଆଯିବା ପରେ ପ୍ରମାଣ ଲୁଚାଇବା ପାଇଁ ତରବରିଆ ଭାବେ ପୋତି ଦିଆଯାଇଥିଲା। ବନ ବିଭାଗ ପକ୍ଷରୁ ଆଜି ଖୋଳି ହାତୀର ମୃତଦେହ ବାହାର କରାଯିବା ପରେ ସତ ସାମ୍‌ନାକୁ ଆସିଛି। ଏହି ଘଟଣାରେ ବନ ବିଭାଗ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

Related posts

Leave a Comment