ସରକାରୀ ଜାଗାରେ ନଗରପାଳଙ୍କ 3 ମହଲା କୋଠା ନିର୍ମାଣ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ପରେ ମାପଚୁପ ଆରମ୍ଭ
ନୟାଗଡ ମ୍ୟୁନିସିପାଲିଟିର ନଗରପାଳ ନିରୂପମା ଖଟେଇ*ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ସେ ନିଜ ପଦବୀର ଅପବ୍ୟବହାର କରି ନିଜ ଘର ପାଖରେ ଥିବା *ସରକାରୀ ଜମିରେ 3 ମହଲା କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳ, ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଅବଗତ କରାଯିବା ପରେ ଏବେ ଜବରଦଖଲ ଜମିରେ ମାପଚୁପ ଆରମ୍ଭ ହୋଇଛି।
କ’ଣ ଅଭିଯୋଗ
ଅଭିଯୋଗ ଅନୁସାରେ, ବୁଲା ବିକାଳି ବା ଗରିବ ଲୋକ ସରକାରୀ ଜାଗା ଜବରଦଖଲ କଲେ ତୁରନ୍ତ ମ୍ୟୁନିସିପାଲିଟି ଡୋଜର ଲଗାଇ ଘର ଭାଙ୍ଗୁଛି। କିନ୍ତୁ ଖୋଦ ନଗରପାଳ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଜାଗାରେ ବିଶାଳ କୋଠା କରିଥିଲେ ମଧ୍ୟ ମ୍ୟୁନିସିପାଲିଟି ବା ତହସିଲଦାର ନୋଟିସ ଦେବାରେ ପଛଘୁଞ୍ଚା ଦେଉଛନ୍ତି।
ଗତ ପ୍ରାୟ 8 ମାସ ତଳେ ଏହି 3 ମହଲା କୋଠା ନିର୍ମାଣ ହୋଇଥିଲେ ମଧ୍ୟ ମ୍ୟୁନିସିପାଲିଟି, ତହସିଲ କିମ୍ବା ଜିଲ୍ଲା ପ୍ରଶାସନ କେହି ପ୍ରଶ୍ନ ଉଠାଇ ନଥିଲେ।
କେଉଁ ଜମିରେ କୋଠା?
ନୟାଗଡ ପୁରୁଣା ସହରର ବରିଷ୍ଠ ନାଗରିକ ପ୍ରମୋଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ନୟାଗଡ ତହସିଲ, ମୌଜା ଜାମୁସାହି, ଖାତା ନଂ. 662, ପ୍ଲଟ ନଂ. 121/2914ରେ 63 ଡେସିମିଲ ଜାଗା ନବୀନ କଲ୍ୟାଣ ମଣ୍ଡପ ପାଇଁ ଉଦ୍ଦିଷ୍ଟ ଥିଲା। ଏଥିରୁ 60 ଡେସିମିଲିରେ ୱାର୍ଡ ନଂ. 12ରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲା। ବାକି 3 ଡେସିମିଲ ଜାଗା ପାଚେରୀ ନିର୍ମାଣ ସମୟରେ ଜାଣିଶୁଣି ଛାଡି ଦିଆଯାଇଥିଲା। ସେହି 3 ଡେସିମିଲି ଜାଗାରେ ହିଁ ନଗରପାଳଙ୍କ ତିନି ମହଲା କୋଠା ଠିଆ ହୋଇଛି।
ଦେବୋତ୍ତର କଲୋନୀସ୍ଥିତ ଏହି ଜାଗାର ମୂଲ୍ୟ ପ୍ରାୟ 40 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୋଗ ହେଉଛି ଯେ ନଗରପାଳ ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ଖଟେଇଙ୍କୁ ଡରି ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିଲା।
ପ୍ରଶାସନର ପଦକ୍ଷେପ
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହେବା ପରେ ଏବେ ପ୍ରଶାସନ ତତ୍ପର ହୋଇ ସରକାରୀ ଜାଗାକୁ ମାପୁଛି। ସୂଚନା ଅନୁଯାୟୀ ସରକାରୀ ଜାଗାରେ 3 ମହଲା କୋଠା କରିଥିବାର ପ୍ରମାଣ ମଧ୍ୟ ମିଳିଛି।
ଖୁବ୍ ଶୀଘ୍ର ଏହି ଜାଗାରୁ ଉଚ୍ଛେଦ କରାଯିବା ସହ ତଦନ୍ତ କଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପାଇଁ କଡା ଆଭିମୁଖ୍ୟ ନେଉଥିବା ବେଳେ ନଗରପାଳଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
