ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତ ଗିରଫ
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ସଦର ଥାନା ରାଇଗୋଡା ଅଞ୍ଚଳ*ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ *6 ବର୍ଷୀୟା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୁଲିସ ହାତରେ ଜିମା ଦେଇଛନ୍ତି।
କ’ଣ ଘଟିଥିଲା
ଆଜି ନୟାକୋଟ ଥାନା ଅଞ୍ଚଳର ଜଣେ 6 ବର୍ଷୀୟା ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ମାମୁଁ ଜଣେ ଟ୍ରକ୍ ଡ୍ରାଇଭର ଅପହରଣ କରି ରାଇଗୋଡା ଠାରେ ଏକ ନିଛାଟିଆ ସ୍ଥାନକୁ ନେଇଥିଲା। ସେଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ପଥରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି।
ଏହି ସମୟରେ ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।
ଅଭିଯୁକ୍ତ ଗିରଫ, ନାବାଳିକା ମେଡିକାଲରେ ଭର୍ତ୍ତି
ଉତ୍ତେଜିତ ଲୋକେ ଅଭିଯୁକ୍ତକୁ କାବୁ କରି ମାଡ ମାରିବା ପରେ ସଦର ଥାନା ପୁଲିସକୁ ଜିମା ଦେଇଥିଲେ। ଗୁରୁତର ନାବାଳିକାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ଶୁଆକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି।
ଘଟଣା ପରେ ରାଇଗୋଡା-ରଙ୍ଗଡିହି ରାସ୍ତା ଅବରୋଧ କରି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସଦର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି।
