Main News Odisha Odisha News 

ଆମ୍ବୁଲାନ୍ସରେ 3 ଘଣ୍ଟା ଅଟକି ରହି ମୃତ୍ୟୁ ହେଲା 11 ବର୍ଷର ନାବାଳିକା

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଉପରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇ 3 ଘଣ୍ଟା ଅଟକି ରହିବା ଯୋଗୁଁ ଠିକ୍ ସମୟରେ ଚିକିତ୍ସା ମିଳିନପାରି ଜଣେ 11 ବର୍ଷର ନାବାଳିକାର ମୃତ୍ୟୁ ଘଟିଛି।

କ’ଣ ଘଟିଥିଲା

ସୂଚନା ଅନୁସାରେ, ନର୍ଲା ବ୍ଲକ୍ ତୁଳାପଡା ଗାଁର ରିୟା ନାୟକ (11) ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କୁ ଆଜି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ 108 ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା।

କିନ୍ତୁ ରାସ୍ତାରେ ଗୋହିରାପଦର ରେଳଫାଟକ ନିକଟରେ ଆମ୍ବୁଲାନ୍ସର ଚକ ପମ୍ପଚର ହୋଇଯାଇଥିଲା। ସବୁଠାରୁ ବଡ କଥା ହେଲା ଆମ୍ବୁଲାନ୍ସରେ ରଖାଯାଇଥିବା ଅତିରିକ୍ତ ଚକ ମଧ୍ୟ ଖରାପ ଥିଲା।

3 ଘଣ୍ଟା ଧରି ରାସ୍ତାରେ ଅଟକି ରହିଲା ଆମ୍ବୁଲାନ୍ସ

ଚାଳକ ଅନ୍ୟ ଏକ ଆମ୍ବୁଲାନ୍ସ ପାଇଁ ସହାୟତା ମାଗିଥିଲେ। କିନ୍ତୁ ଦ୍ୱିତୀୟ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ପ୍ରାୟ 3 ଘଣ୍ଟା ଅତିବାହିତ ହୋଇସାରିଥିଲା। ବିକଳ୍ପ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ଜଣକ ରାସ୍ତା ଉପରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।

ବିଳମ୍ବରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଯିବା ପରେ ଡାକ୍ତର ରିୟାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରଶ୍ନବାଣରେ ସ୍ୱାସ୍ଥ୍ୟ ବ୍ୟବସ୍ଥା

ଆମ୍ବୁଲାନ୍ସରେ ଜରୁରୀକାଳୀନ ଚକ ମଧ୍ୟ ଖରାପ ଥିବା, ବିକଳ୍ପ ବ୍ୟବସ୍ଥା ନଥିବା ଏବଂ ଠିକ୍ ସମୟରେ ଚିକିତ୍ସା ନ ମିଳିବାରୁ କଳାହାଣ୍ଡିର ସ୍ୱାସ୍ଥ୍ୟସେବା ଉପରେ ପ୍ରଶ୍ନ ଉଠିଛି। ଏଭଳି ଅବହେଳା ଯୋଗୁଁ ଜଣେ ନିରୀହ ନାବାଳିକାର ଜୀବନ ଚାଲିଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related posts

Leave a Comment