ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ କାର ଭଙ୍ଗାରୁଜା
ବାରିପଦା ଟାଉନ ଥାନା କ୍ୟାମ୍ପସ ଭିତରେ ଆଜି ସନ୍ଧ୍ୟାରେ ଏକ ପ୍ରକାର ରଣ କ୍ଷେତ୍ର ପାଲଟିଥିଲା। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ କାର ଭଙ୍ଗାରୁଜା କରିଛନ୍ତି।
ପ୍ରାପ୍ତ ସୂଚନାନୁସାରେ, ବାରିପଦାରୁ କିଛି ଯୁବକ ଲୁଲୁଙ୍ଗ ଆଡ଼କୁ ବୁଲି ଯାଇ ଫେରୁଥିଲେ। ସେମାନଙ୍କ ସହ ଧନପୁର ଅଞ୍ଚଳର କିଛି ଯୁବକଙ୍କ ସହ ପୋଡ଼ା ଅସ୍ତିଆ ନିକଟରେ ପାଟିତୁଣ୍ଡ ହୋଇଥିଲା। କାର ଚାଳକ ସେଠାରୁ ଖସି ଆସିଥିବା ବେଳେ ସେହି ଯୁବକମାନେ ସେମାନଙ୍କୁ ତିନି ଚାରି ବାଇକ୍ ରେ ପିଛା କରି ଗୋଡ଼ାଇ ଥିଲେ। ବାଇକରେ ଥିବା ଯୁବକମାନେ କାର୍କୁ ଜଗନ୍ନାଥ ମନ୍ଦିର ପାଖରେ ଅଟକାଇ ଥିଲେ। କାର୍ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍ ଟିକୁ ଭାଙ୍ଗି ଦେଇଥିଲେ।କାର୍ରେ ଥିବା ଯୁବକ ମାନେ ଜୀବନ ବିକଳରେ କାର ଧରି ଟାଉନ ଥାନା ଭିତରକୁ ପଶି ଯାଇଥିଲେ। ଉକ୍ତ ଯୁବକମାନେ ପୁଣି ସେମାନଙ୍କୁ ପିଛା କରି ସିଧା ଥାନା ଭିତରକୁ ଧସେଇ ପଶି କାର ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କାର ଚାଳକ୍ ଓ ଅନ୍ୟ ମାନଙ୍କୁ ଆକ୍ରମଣ କରିଥିବା କିଛି ଯୁବକଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।