ଗୁଜରାଟ ଅହମ୍ମଦାବାଦରେ ବାଣ କାରଖାନାରେ ବିସ୍ଫୋରଣ: 8 ମୃତ, 9 ଗୁରୁତର
ଗୁଜରାଟର ଅହମ୍ମଦାବାଦର ରାମୋଲ-ଗାତ୍ରଦ ରୋଡ୍ ସ୍ଥିତ ଏକ ବାଣ ତିଆରି କାରଖାନାରେ ଶନିବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଗୁରୁତର ହୋଇଛନ୍ତି।
କିପରି ଘଟିଲା ଅଘଟଣ
ଅପରାହ୍ନ ପ୍ରାୟ 3ଟା 30 ମିନିଟ୍ ସମୟରେ ମେହମଦପୁରା ଅଞ୍ଚଳର “ଟ୍ୟାଲେଣ୍ଟ” ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ସହ ନିଆଁ ଲାଗିଯାଇଥିଲା। କାରଖାନା ଭିତରେ ଗଚ୍ଛିତ ଥିବା ବିସ୍ଫୋରକ ଯୋଗୁଁ ନିଆଁ ଭୟାବହ ରୂପ ଧାରଣ କରିଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ କାରଖାନାଟି ଜଳିପୋଡ଼ି ରାଖ ହୋଇଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଓ RAF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯବାନମାନେ ବିଲ୍ଡିଂ ମଧ୍ୟରୁ 8 ଜଣଙ୍କର ମୃତଦେହ ଉଦ୍ଧାର କରିବା ସହ ଭିତରେ ଫସି ରହିଥିବା ଓ ଆହତ ହୋଇଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।
ଅନେକ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ Cooling operations ଜାରି ରହିଛି।
ଆହତଙ୍କ ଚିକିତ୍ସା ଚାଲିଛି
ଆହତ ହୋଇଥିବା 9 ଜଣ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି।
ପ୍ରଧାନମନ୍ତ୍ରୀଙ୍କ ଶୋକ ଓ ସହାୟତା ଘୋଷଣା
ଏହି ଅଘଟଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୀଡ଼ିତ ପରିବାର ପାଇଁ ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ 50,000 ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
