ଜମି ଲିଜ୍ ରେକର୍ଡ଼ ରକ୍ଷଣାବେକ୍ଷଣରେ ଅବହେଳା ଚଳିବନି ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ
ଜମି ଲିଜ୍ ସମ୍ବନ୍ଧୀୟ ରେକର୍ଡ଼ର ସଠିକ୍ ରକ୍ଷଣାବେକ୍ଷଣ ଓ ନ୍ୟାୟାଳୟଙ୍କ ଆଦେଶ ପାଳନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।
ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
କାହିଁକି ଏହି ନିର୍ଦ୍ଦେଶ
ସମ୍ପ୍ରତି ଏକ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ*କୁ ଦୃଷ୍ଟିରେ ରଖି ବିଭାଗ ସ୍ପଷ୍ଟ କରିଛି ଯେ, ଜମି ଲିଜ୍ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ଅନୁପାଳନ ସର୍ବୋଚ୍ଚ ଗୁରୁତ୍ୱ ପାଇବ। *କୌଣସି ପ୍ରକାର ଅବହେଳା ବା ବିଳମ୍ବକୁ ଗୁରୁତର ଭାବେ ବିବେଚନା କରାଯିବ।
କ’ଣ କହିଛନ୍ତି ରାଜସ୍ୱ ସଚିବ
ଜମି ଲିଜ୍ ସମ୍ପର୍କିତ ନ୍ୟାୟିକ ମାମଲାରେ ଆଇନସମ୍ମତ ନିଷ୍ପତ୍ତି, ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ। ଏଥିରେ ତ୍ରୁଟି ହେଲେ ଜନସାଧାରଣଙ୍କ ସ୍ୱାର୍ଥ ପ୍ରଭାବିତ ହେବ।
ଏଥିପାଇଁ ସମସ୍ତ ନଥିପତ୍ର ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ସହ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସଠିକ୍ ସମୟରେ ତାହା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳଙ୍କ ଦାୟିତ୍ୱ
ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ, ଆଇନଗତ ବ୍ୟବସ୍ଥା ଅନୁସରଣ ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ଅଧୀନସ୍ଥ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନଥିପତ୍ର ଯାଞ୍ଚ କରି ତାର ସୁରକ୍ଷା ଓ ଉପଲବ୍ଧି ସୁନିଶ୍ଚିତ କରିବେ।
ରାଜସ୍ୱ ବିଭାଗ କହିଛି, ରାଜସ୍ୱ ନଥିପତ୍ରର ସୁରକ୍ଷା ମାଧ୍ୟମରେ ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ହିଁ ବିଭାଗର ପ୍ରତିବଦ୍ଧତା।
