ରାଜଧାନୀରେ ବଡ଼ ଅଘଟଣ: ସ୍କୁଲ୍ରୁ ନିଖୋଜ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ପୋଲିସ ରିଜର୍ଭ ପଡ଼ିଆରେ ଉଦ୍ଧାର
ରାଜଧାନୀରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଆଚାର୍ଯ୍ୟ ବିହାର ନିକୋ ପାର୍କ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲ୍ର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଶ୍ରୀୟଂଶି ସିଂ (୬) ମଧ୍ୟାହ୍ନ ଖାଇବା ଛୁଟି ସମୟରେ ସ୍କୁଲ୍ରୁ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟାରେ ତାଙ୍କର ମୃତଦେହ ସ୍କୁଲ୍ ପାଖରେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ଉଦ୍ଧାର ହୋଇଛି।
କିପରି ଘଟିଲା ଘଟଣା:
ଅପରାହ୍ନ ସାଢ଼େ ୧ ଟା ସମୟରେ ଖାଇବା ଛୁଟି ସମୟରେ ଶ୍ରୀୟଂଶି ସ୍କୁଲ୍ ଗେଟ୍ ବାହାରକୁ ଚାଲିଯାଇଥିଲେ। ଅନେକ ସମୟ ପରେ ବି ସେ ଫେରି ନଆସିବାରୁ ପରିବାର ଲୋକେ ଚିନ୍ତିତ ହୋଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ସ୍କୁଲ୍ର ସିସିଟିଭି ଫୁଟେଜ୍ ଯାଞ୍ଚ ସହ VHF ଜରିଆରେ ୩ଟି ଟିମ୍ ମିଶି ଖୋଜାଖୋଜି କରିଥିଲେ। ଶେଷରେ ସ୍କୁଲ୍ ପଛ ପାଖରେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ଅଚେତ ଅବସ୍ଥାରେ ଶ୍ରୀୟଂଶିଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭିଭାବକଙ୍କ ଅଭିଯୋଗ:
ଶ୍ରୀୟଂଶିଙ୍କ ମାମୁ ଓ ବାପାମାଆ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଉପରେ ଗୁରୁତର ଅବହେଳା ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, “ସ୍କୁଲ୍ର ବଡ଼ ଫାଟକ ଖୋଲା ଥିଲା। ୬ ବର୍ଷର ଝିଅ ହାତରେ ଟିଫିନ୍ ଧରି ୩ଟି ଟ୍ରାଫିକ୍ ଡେଇଁ ସାଇନ୍ସ ପାର୍କ ପାଖରେ ପହଞ୍ଚିଲା, କିନ୍ତୁ କେହି ଅଟକାଇଲେ ନାହିଁ। ସ୍କୁଲ୍ର ଦାୟିତ୍ୱହୀନତା ପାଇଁ ଆମ ଝିଅ ଜୀବନ ଗଲା।”
ପୋଲିସ କ’ଣ କହୁଛି:
ସହିଦନଗର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ସ୍କୁଲ୍ରୁ ବାହାରକୁ ଯାଇ ପାଣି କୁଣ୍ଡରେ ପଡ଼ିଲେ ତାହା ତଦନ୍ତ ପରେ ଜଣାପଡ଼ିବ।
ଏହି ଘଟଣା ପରେ ସ୍କୁଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
