flood Main News Odisha Odisha News 

ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ, ଚବିଶ ଘଣ୍ଟିଆ ନଜର ରଖିଛନ୍ତି ରାଜ୍ୟ ସରକାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଚବିଶ ଘଣ୍ଟିଆ କଡ଼ା ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ “ଜନସାଧାରଣଙ୍କ ସୁରକ୍ଷା ହିଁ ରାଜ୍ୟ ସରକାରଙ୍କ ପ୍ରାଥମିକତା”।

ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ମୁଖ୍ୟ ତଥ୍ୟ:

୧. ପ୍ରଭାବିତ ଅଞ୍ଚଳ:
ଅଧିକ ପ୍ରଭାବିତ ଜିଲ୍ଲା: ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର
ଅନ୍ୟ ପ୍ରଭାବିତ ଜିଲ୍ଲା: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ମାଲକାନଗିରି
ମୋଟ୍: ୪ଟି ବ୍ଲକ୍, ୨୪୩ଟି ପଂଚାୟତ, ୭୪୮ଟି ଗ୍ରାମ
ଜଳବନ୍ଦୀ: ୨୨୬ଟି ଗ୍ରାମ

୨. ସ୍ଥାନାନ୍ତରଣ ଓ ଉଦ୍ଧାର:
ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ପ୍ରାୟ ୩୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରରେ ଜଳସ୍ତର କମିବାରୁ ଲୋକେ ଧୀରେ ଧୀରେ ଘରକୁ ଫେରୁଛନ୍ତି।

୩. ସ୍ୱାସ୍ଥ୍ୟ ସେବା:

  • ପ୍ରତ୍ୟେକ PHCରେ MBBS ଡାକ୍ତର ନିୟୋଜିତ
  • ମେଡିକାଲ ଟିମ୍ ମୁତୟନ, ଆବଶ୍ୟକ ଔଷଧ ମହଜୁଦ
  • ସାପ କାମୁଡ଼ା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ ପଠାଯାଇଛି

୪. ନଦୀ ଓ ବନ୍ଧ ସ୍ଥିତି:
ଛତିଶଗଡ଼ର ଉପର ଅବବାହିକାରେ ବର୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ହୀରାକୁଦ ବନ୍ଧର ୨ଟି ଗେଟ୍ ଖୋଲା ରହିଛି ଏବଂ ଜଳସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି। ଜଳ ସମ୍ପଦ ବିଭାଗ ନିରନ୍ତର ତଦାରଖ କରୁଛି।

୫. ସତର୍କ ଜିଲ୍ଲା:
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଜିଲ୍ଲାକୁ ସତର୍କ କରାଯାଇଛି।

ମୁତୟନ ହୋଇଥିବା ଉଦ୍ଧାର ଦଳ:

୧୭ଟି NDRF ଟିମ୍, ODRAF ଟିମ୍ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍ ସମ୍ବେଦନଶୀଳ ସ୍ଥାନରେ ମୁତୟନ। ବରିଷ୍ଠ IAS ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ପାଇଁ ଦାୟିତ୍ୱ ଦିଆଯାଇଛି।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଆହ୍ୱାନ:

  1. କେହି ବନ୍ୟାଜଳ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ ଏବଂ ଅସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ନାହିଁ।
  2. ଜିଲ୍ଲା ପ୍ରଶାସନର ପରାମର୍ଶ ପାଳନ କରନ୍ତୁ।
  3. ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଯୋଗାଯୋଗ କରନ୍ତୁ।
  4. ସମସ୍ତ ନଦୀବନ୍ଧ, ରିଲିଫ କେନ୍ଦ୍ରେ ପୋଲିସ ପାଟ୍ରୋଲିଂ ବାଧ୍ୟତାମୂଳକ।

ଉଦ୍ଧାର କାର୍ଯ୍ୟ ବେଳେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉପସ୍ଥିତ ଥିଲେ: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ କମିଶନର ଅଶ୍ୱଥୀ ଏସ୍., SRC ରାଜେଶ ପ୍ରଭାକର ପାଟିଲ ପ୍ରମୁଖ।

ରାଜ୍ୟ ସରକାର ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି।

Related posts

Leave a Comment