ରାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ।

ଦେଶର ରାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ହୋଇପାରେ। କେନ୍ଦ୍ର ସରକାର ୨୦୨୬ ଜାତୀୟ ଖାଦ୍ୟ ସୁରକ୍ଷା (ସଂଶୋଧନ) ବିଲ୍ ର ଏକ ଡ୍ରାଫ୍ଟ ପ୍ରକାଶ କରିଛନ୍ତି। ଯାହା ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧିନରେ ପ୍ରଦାନ କରାଯାଉଥିବା ରାସନ ପାଇଁ ନିୟମରେ ପରିବର୍ତ୍ତନ ପ୍ରସ୍ତାବ ଦେଇଛି। ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଖାଦ୍ୟ ଏବଂ ପୋଷଣ ସୁରକ୍ଷାକୁ ଆହୁରି ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି।. ଅନ୍ନ ଯୋଜନା ଅଧିନରେ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ରାସନ ଯୋଗାଇଥାଏ। ନୂତନ ଡ୍ରାଫ୍ଟ ଅନୁଯାୟୀ, ବର୍ତ୍ତମାନ ପ୍ରତି ମୁଣ୍ଡପିଛା ଆଧାରରେ ରାସନ ବଣ୍ଟନ କରିବାର ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତାହେଲେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରତି ମାସରେ ୭ କିଲୋଗ୍ରାମ ରାସନ ଯୋଗାଇ ଦିଆଯିବ। ହେଲେ ତଥାପି ସରକାର ସ୍ପଷ୍ଟ କରିଛନ୍ତି ଯେ ପ୍ରତି ପରିବାର ପାଇଁ ସର୍ବାଧିକ ୩୫ କିଲୋଗ୍ରାମ ରାସନ ସୀମା ବଜାୟ ରହିବ। ବଡ଼ ପରିବାର ପାଇଁ ପରିବର୍ତ୍ତନ?
ସରକାରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ରାସନ ଯୋଗାଇ ଦିଆଯାଉଛି। ହେଲେ ହିତାଧିକାରୀଙ୍କ ପରିବାରର ସଦସ୍ୟ ସଂଖ୍ୟା କମ ବେଶୀ ରହିଛି। ଯାହା ଦ୍ୱାରା ଛୋଟ ପରିବାର ଥିବା ହିତାଧିକାରୀଙ୍କୁ ମୁଣ୍ଡପିଛା ଅଧିକ ରାସନ ମିଲୁଥିବା ବେଳେ, ବଡ଼ ପରିବାର ଥିବା ହିତାଧିକାରୀଙ୍କ ମୁଣ୍ଡପିଛା ଅଂଶ ହ୍ରାସ ପାଇଥାଏ। ନୂତନ ବ୍ୟବସ୍ଥା ଏହି ଅସନ୍ତୁଳନକୁ ଦୂର କରିବା ଏବଂ ସମସ୍ତ ହିତାଧିକାରୀଙ୍କୁ ସମାନ ରାସନ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହା ରାସନ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସନ୍ତୁଳିତ କରିବ। ସାଧାରଣ ପରାମର୍ଶ ଲୋଡ଼ାଯାଇଛି
କେନ୍ଦ୍ର ସରକାର ଏହି ଡ୍ରାଫ୍ଟ ବିଲ୍ ଉପରେ ନାଗରିକ, ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ଠାରୁ ପରାମର୍ଶ ଏବଂ ଆପତ୍ତି ଆମନ୍ତ୍ରଣ କରିଛନ୍ତି। ଆଗ୍ରହୀ ବ୍ୟକ୍ତି ଆସନ୍ତା ଜୁଲାଇ ୧୩ ତାରିଖ ସୁଦ୍ଧା ସରକାରଙ୍କ ନିକଟରେ ସେମାନଙ୍କର ମତାମତ ଦାଖଲ କରିପାରିବେ। ପ୍ରାପ୍ତ ପରାମର୍ଶ ଏବଂ ମତାମତ ଆଧାରରେ ସଂଶୋଧନ ପ୍ରସ୍ତାବରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ। ଯାହା ପରେ ଏହାକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯିବ।