କେଜିରୁ ପିଜି ଯାଏଁ ଫି’ ଦ୍ୱନ୍ଦ୍ୱ ଦୂର ପାଇଁ SOP ଜାରି କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
କେଜିରୁ ପିଜି ପର୍ଯ୍ୟନ୍ତ ଫି’ ଦ୍ୱନ୍ଦ୍ୱ ସମାଧାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ମନ୍ତ୍ରୀ କହିଛନ୍ତି, “ଟଙ୍କା ଅଭାବରୁ କୌଣସି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ”। ଫି’ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସରକାର ଏକ SOP ଜାରି କରିଛନ୍ତି ଯାହା ସମସ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯିବ।
SOP ର ମୁଖ୍ୟ ବିଷୟ
- କେଉଁମାନଙ୍କୁ ଲାଗୁ ହେବନି: ବୃତ୍ତିଗତ ଶିକ୍ଷା କ୍ଷେତ୍ରେ ଏହି ଫି’ ଛାଡ଼ ଲାଗୁ ହେବନି। ଘରୋଇ ଶିକ୍ଷାନୁଷ୍ଠାନ ଏବଂ ପ୍ରଫେସନାଲ କୋର୍ସ ଏଥିରୁ ବାଦ୍ ରହିବେ।
- ଉପସ୍ଥାନା ବାଧ୍ୟତାମୂଳକ: ଛାତ୍ରଛାତ୍ରୀଙ୍କ 75% ଉପସ୍ଥାନା ରହିବା ଆବଶ୍ୟକ। ନିୟମିତ ଆସୁଥିବା ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ହେବ ନାହିଁ।
- ଫି’ ବୃଦ୍ଧି ଉପରେ ରୋକ: ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ଇଚ୍ଛାରେ ଫି’ ବଢ଼ାଇ ପାରିବେ ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକର ନିର୍ଦ୍ଦେଶ ଅନୁସାରେ ହିଁ ଶୁଳ୍କ ଆଦାୟ ହେବ।
- ପରୀକ୍ଷା ଶୁଳ୍କ ବାଦ୍: ପରୀକ୍ଷା ଶୁଳ୍କ ଏହି SOP ରୁ ବାଦ୍ ରହିଛି।
କେଉଁ ଫି’ ସରକାର ଦେବେ
ମନ୍ତ୍ରୀ କହିଛନ୍ତି ଯେ ଆଡ୍ମିଶନ ସମୟରେ ପିଲାଙ୍କଠାରୁ NCC, ଲାଇବ୍ରେରୀ, ରେଡ୍କ୍ରସ, ଆଇକାର୍ଡ, ସେମିଷ୍ଟର ଫି’ ଏବଂ କଲେଜର ଉନ୍ନତି ପାଇଁ ନିଆଯାଉଥିବା ଫି’ ସମେତ ବିଭିନ୍ନ ବାବଦର ଟଙ୍କା ଏବେଠାରୁ ରାଜ୍ୟ ସରକାର ସିଧାସଳଖ କଲେଜକୁ ପ୍ରଦାନ କରିବେ।
ଏହି SOP ଲାଗୁ ହେବା ପରେ ଅଭିଭାବକଙ୍କ ଉପରୁ ଅତିରିକ୍ତ ଆର୍ଥିକ ବୋଝ କମିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱଚ୍ଛତା ଆସିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
