ରାଜ୍ୟରେ ଗ୍ରୀଷ୍ମ ଲହରି। ଦିନର ତାପମାତ୍ରା ୪୦ ରୁ ୪୩ ଡିଗ୍ରିରୁ ମଧ୍ୟରେ ରହିଛି। ଗ୍ରୀଷ୍ମଲହରି ଓ ଅଂଶୁଘାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ସମୟରେ ଆଜି ସୁନ୍ଦରଗଡ଼ରେ ଅଂଶୁଘାତରେ ଜଣେ ସରକାରୀ କର୍ମଚାରୀଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁରରେ ପ୍ରଥମ ଅଂଶୁଘାତ ମୃତ୍ୟୁ ସନ୍ଦେହ। ଝାଁକରପାଲିର ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ।ଜିଲ୍ଲାର ବଣାଇଁ ଉପଖଣ୍ଡରେ ଗୁରୁଣ୍ଡିଆ ବ୍ଲକର ଜରଡ଼ା ହାଇସ୍କୁଲର ସହକାରୀ ଶିକ୍ଷକ ଅନୁରାଗ ଏକ୍କା ଜନଗଣନା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଜନଗଣନା ନିମନ୍ତେ ରବିବାର ଜରଡ଼ା ଗାଁ ଯାଇଥିଲେ। ସେଠାରେ ଗଣନା ସମୟରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେହିଭଳି, ଅନ୍ୟ ଏକ ଦୁଃଖଦ ଘଟଣାକ୍ରମେ, ରବିବାର ଅପରାହ୍ନରେ କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ବିମଲାଗଡ଼ ଫକିରମୁଣ୍ଡା ଗ୍ରାମରେ ସରକାରୀ ନଳକୂପ ଖୋଳୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଥିବା ଅଭିଯୋଗ ହୋଇଛି। ଗାବ୍ରିଏଲ୍ ମୁଣ୍ଡା (୫୭) ନଳକୂପ ଖୋଲିବା ବେଳେ ସେ ଅଚେତ ହୋଇଯାଇଥିଲେ।ଗ୍ରାମବାସୀ ତାଙ୍କୁ ନିକଟସ୍ଥ ଲହୁଣୀପଡ଼ା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାବ୍ରିଏଲ୍ଙ୍କ ପରିବାର ଏହି ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଦୁଇ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ପକ୍ଷରୁ ଜଣାଯାଇଛି April 26, 2026
ୱାଶିଂଟନ୍ ଡିସିରେ ଏକ ହାଇପ୍ରୋଫାଇଲ୍ ଡିନର ପାର୍ଟିରେ ଗୁଳିମାଡ଼ । ଜଣେ ଯୁବକ ହଠାତ୍ ହୋଟେଲ ଭିତରକୁ ପଶି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରକୁ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିବା ସମୟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରମ୍ପଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଏହି ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୩୧ ବର୍ଷୀୟ କୋଲ୍ ଥମାସ ଆଲେନ୍ ଭାବରେ ଚିହ୍ନଟ କରାଯାଇଛି ।କୋଲ୍ ଥମାସ ଆଲେନ୍ ଆମେରିକାର କାଲିଫର୍ଣ୍ଣିଆର ଟୋରାନ୍ସର ବାସିନ୍ଦା ବୋଲି କୁହାଯାଉଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ବୈଷୟିକ କ୍ଷେତ୍ର ସହିତ ଜଡିତ ଜଣେ ଶିକ୍ଷିତ ବ୍ୟକ୍ତି । ସେ ଆମେରିକାର ପ୍ରତିଷ୍ଠିତ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ । ଏହା ପରେ, ସେ କମ୍ପ୍ୟୁଟର ସାଇନ୍ସରେ ଉଚ୍ଚ ଶିକ୍ଷା ମଧ୍ୟ ପାଇଥିଲେ ।ଜଣେ ମେକାନିକାଲ୍ ଇଞ୍ଜିନିୟର ହେବା ସହିତ, ସେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଇଣ୍ଡି ଗେମ୍ ଡେଭଲପର ଭାବରେ ମଧ୍ୟ କାମ କରିଛନ୍ତି । କେବଳ ଏତିକି ନୁହେଁ, ସେ ଛାତ୍ରମାନଙ୍କୁ ଟ୍ୟୁସନ୍ ମଧ୍ୟ କରୁଥିଲେ । ରିପୋର୍ଟ ଅନୁଯାୟୀ, ସେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀରେ ଏକ ଗ୍ରୀଷ୍ମକାଳୀନ ଗବେଷଣା ଫେଲୋସିପ୍ ମଧ୍ୟ ସମାପ୍ତ କରିଥିଲେ। ଯାହା ଯୋଗୁଁ ତାଙ୍କୁ ‘ନାସା ଫେଲୋ’ ଭାବରେ ଜଣାଶୁଣା ।ରିପୋର୍ଟ ଅନୁଯାୟୀ, କୋଲ୍ ଆଲେନ୍ ଏକ ବନ୍ଧୁକ, ଏକ ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ହ୍ଵାଇଟ୍ ହାଉସ୍ ଡିନର ପାର୍ଟିରେ ପହଞ୍ଚିଥିଲେ । ସେ ସୁରକ୍ଷା ବଳୟକୁ ଭେଦିବାକୁ ଚେଷ୍ଟା କରୁଥିବା ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସନ୍ଦିଗ୍ଧ ବ୍ୟକ୍ତି ଏବଂ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି, କିନ୍ତୁ ସେ ଏକ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ତାଙ୍କ ଜୀବନ ରକ୍ଷା ପାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦମନ କରିଥିଲେ, ଯାହା ଫଳରେ ଏକ ବଡ଼ ଅଘଟଣ ଏଡାଇ ଯାଇଥିଲା । April 26, 2026
ଇସ୍କନର ମନମାନି। ବିଦେଶରେ ଏକାଧିକ ସ୍ଥାନରେ କଲା ଅଦିନିଆ ରଥଯାତ୍ରା। ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା। ଟେକ୍ସାସ୍ ଓ ବ୍ରିସବେନ୍ରେ ମଧ୍ୟ ରଥଯାତ୍ରା କରିଛି। ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି।ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କର ପାପୁଲି ବା ଆଙ୍ଗୁଠି ନାହିଁ। ସେ ତ ଅଧା ଗଢା ଠାକୁର। ମାତ୍ର ଇସ୍କନ ବିଦେଶରେ ଜଗନ୍ନାଥଙ୍କ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଛି। ଯାହାକି ଶାସ୍ତ୍ର ବିରୋଧୀ। ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।ନିକଟରେ ଇସ୍କନକୁ ଚରମବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ। ହେଲେ ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି। ୨୦୨୬ ମସିହାରେ ଇସ୍କନ ବିଶ୍ବର ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ତାରିଖ ସ୍ଥିର କରିଛି। April 26, 2026
ବସ୍ଷ୍ଟାଣ୍ଡରୁ ପାଇଥିବା ୫ ଭରି ଓଜନର ଦୁଇଟି ସୁନା ହାର ଫେରାଇ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗାଓଁର ୩ଜଣ ଚର୍ଚ୍ଚାରେ। ଏମ୍ ରାମପୁର ବ୍ଲକ ଗ୍ରାମ ତଲନୁଆଗାଁର କାହ୍ନା ଦେହେରିଆ ବଲାଙ୍ଗୀର ଜିଲା ତୁଷୁରା ଅଞ୍ଚଳର ଖର୍ଡ଼ା ଗ୍ରାମରେ ଏକ ବିବାହ କାର୍ଯ୍ୟ ସମାପନ କରି ତାଙ୍କ ମା ସହ ଫେରୁଥିବା ସମୟରେ ବ୍ୟାଗଟିକୁ ରିଷିଡା ବସ୍ଷ୍ଟାଣ୍ଡରେ ଛାଡିଦେଇଥିଲେ।କର୍ଲାମୁଣ୍ଡାର ବଲ୍ଲଭ ନାଏକ, ପୁଲସ୍ତି ବୁଡେକ ଏବଂ ରାମ ଝାଙ୍କର ଉକ୍ତ ବ୍ୟାଗଟିକୁ ପାଇଥିଲେ। ପରେ ବ୍ୟାଗ ହଜିଥିବା ବ୍ୟକ୍ତିଙ୍କୁ ଘରକୁ ଡାକି ବ୍ୟାଗ୍ରେ ଥିବା ତାଙ୍କର ସୁନା ଟଙ୍କା ମୋବାଇଲ, ଦୁଇଟି ସୁନା ହାର ଓ ଟଙ୍କା ଫେରସ୍ତ କରିଥିଲେ। April 25, 2026