ଭୁବନେଶ୍ବର: କେନ୍ଦ୍ର ସରକାର ଦେଶରେ ଲୋକସଭା ଆସନ ଏବଂ ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୫୦% ଲେଖାଏଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୬ରୁ ଅାରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଥିବାବେଳେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ଆଇନ ଲାଗୁ ହେବ। ଏହାସହ ୨୦୧୧ ଜନଗଣନା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା, ଡିଲିମିଟେସନ୍ କମିସନ୍ ଗଠନ କରିବା ପାଇଁ ଏହି ବିଲ୍ରେ ନିୟମ ରହିଛି। ଓଡ଼ିଶା ଅପେକ୍ଷାକୃତ ଭାବେ ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ଆସନ ପାଇବାକୁ ଥିବାରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ଦେଖାଦେଇଛି। କେଉଁ କେଉଁ ଲୋକସଭା ଆସନ ଭାଙ୍ଗି ନୂଆ ଆସନ ହେବ ତାହା ଉପରେ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଓ କଟକ ଲୋକସଭା ଆସନ ସମେତ କେବିକେ ତଥା କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଅଞ୍ଚଳରେ ଅଧିକ ଆସନ ସୃଷ୍ଟି ହୋଇପାରେ।





