
ବେଙ୍ଗାଲୁରୁ ରାସ୍ତାରେ ଡିସେମ୍ବର ୨୪ ତାରିଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହାର ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏଭଳି ଦୁର୍ଘଟଣାର ଛାତିଥରା ଦୃଶ୍ୟ ଆପଣ କେବେ ଦେଖି ନ ଥିବେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ କ୍ରେଟା କାର ରୟାଲ ଏନଫିଲ୍ଡ ମୋଟରସାଇକେଲକୁ ଧକ୍କା ଦେଇ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଲୋକମାନେ ଉକ୍ତ ମଦ୍ୟପ କାର ଚାଳକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ସୁମନହଲ୍ଲି ଫ୍ଲାଏଓଭରରୁ ନାଗରଭାବି ସର୍କଲ ଅଭିମୁଖେ ରୟାଲ ଏନଫିଲ୍ଡ ମୋଟରସାଇକେଲରେ ଯାତ୍ରା କରୁଥିବା ରୋହିତ ଏସ୍.ଙ୍କୁ ପଛରୁ ଏକ କ୍ରେଟା କାର ଚାଳକ ଧକ୍କା ଦେଇ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ସମୟରେ କାର ତଳୁ ନିଆଁ ବି ବାହାରିଥିଲା। ଉକ୍ତ କାର ଚାଳକ ବାଇକ ସହିତ ଅନ୍ୟ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସହିତ ବାଇକ୍ ଆରୋହୀ ରୋହିତ ଏସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି, ଗୋଡ ଏବଂ ହାତରେ ଗଭୀର ଭାବେ ଆଘାତ ଲାଗିଛି।




