
କଟକ ମର୍କତ ନଗର ଥାନାରେ ସ୍ୱର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସେ। ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା । ଯାହାପରେ ଅନେକ ଦିନ ଧରି ବିବାଦ ଲାଗିରହିଥିଲା । ଏପିରିକି ହ୍ୟୁମାନଙ୍କ ମ୍ୟାନେଜର ନାଁରେ ଅଭିଯୋଗ ଆଣିଥିଲେ ତାଙ୍କ ମାଆ । ପରେ ମାମଲାରେ ଅନେକ ସାଥୀ କଳାକାରଙ୍କ ନାଁ ମଧ୍ୟ ଆସିଥିଲା । ଇତିମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକ ମାସ ପୂରିଥିବାବେଳେ ଏବେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୁଅର ମୃତ୍ୟୁ ହୋଇନାହିଁ ବରଂ ମାରିଦିଆ ଯାଇଛି। ତେଣୁ ଏହି ଘଟଣାର ପୁରା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ହ୍ୟୁମାନଙ୍କ ଫୋନ୍ ଡିଟେଲ୍, କଟକ ସ୍ଥିତ ବାସଭବନର ସିସିଟିଭିକୁ ସବୁକୁ ଯାଞ୍ଚ କରିବାକୁ କହିଛନ୍ତି । ଏହାସହିତ ହ୍ୟୁମାନଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ମଧ୍ୟ ଏତଲା ଦେଇଥିବା ସୂଚନା ମିଳିଛି।




