ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କଣ୍ଟିଲୋ ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ ଦମ୍ପତି। ମାତ୍ର ଦାୟିତ୍ଵରେ ଥିବା ପୁଲିସ ଏସଆଇ ମିଛ ମାମଲାରେ ଫସାଇ ନିର୍ଯ୍ୟାତନା ଦେବା ସହିତ ଘଉଡାଇ ଦେଇଥିଲେ । ଫଳରେ ମହିଳା ଓ ସ୍ଵାମୀ ଓଡିଶା ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ। ଘଟଣାର ଶୁଣାଣି କରି ମାନବାଧିକାର କମିଶନର ଅଧ୍ୟକ୍ଷ ଉଭୟ ପୁଲିସ ଅଧିକାରୀଙ୍କୁ ଗିରଫ ନିର୍ଦ୍ଦେଶ ଦେବା ଏବେ ନୟାଗଡ଼ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି। ଜିଲ୍ଲାରେ ପୁଲିସର ଏଭଳି ଚରିତ୍ର ଚର୍ଚାର ବିଷୟ ପାଲଟିଥିବା ବେଳେ ସାଧାରଣ ଲୋକଙ୍କୁ କିଭଳି ନ୍ୟାୟ ମିଳେ ତାହା ସ୍ପଷ୍ଟ ବାରି ହେଉଛି। ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଫାଣ୍ଡିର ପୂର୍ବତନ ଅଧିକାରୀ ଏସଆଇ ରମେଶ ଚନ୍ଦ୍ର ଜେନା ଓ କନେଷ୍ଟବଳ ସୁଧୀର କୁମାର ତାଲିଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ମାନବାଧିକାର କମିଶନ। ମିଳିଥିବା ସୂଚନା ଅନୁଯାୟୀ ୨୦୨୪ ମାର୍ଚ ୧୯ରେ କଣ୍ଟିଲୋ ଅଞ୍ଚଳର ଅନୁସୂଚିତ ଜାତିର ମହିଳା ପ୍ରତିମା ଦଳେଇ ଓ ତାଙ୍କ ସ୍ଵାମୀ ଥାନାକୁ ଏକ ମାମଲାରେ ଅଭିଯୋଗ କରିବାକୁ ଯାଇଥିଲେ। ତେବେ ଦାୟିତ୍ଵରେ ଥିବା ତତ୍କାଳୀନ ଏସଆଇ ରମେଶ ଚନ୍ଦ୍ର ଜେନା ଓ କନେଷ୍ଟବଳ ସୁଧୀର କୁମାର ତାଲି ସେମାନଙ୍କୁ ନିର୍ଯ୍ୟାତନା ଦେଇଥିଲେ। ମିଛ ମାମଲା ସହିତ ଅନୁସୂଚିତ ଜାତିର ହୋଇଥିବା ଯୋଗୁଁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ନିର୍ଯ୍ୟାତନା ଦେଇଥିଲେ ପୁଲିସ ବାବୁ। ପରବର୍ତ୍ତୀ ପର୍ଯ୍ୟାୟରେ ଦମ୍ପତି ଓଡିଶା ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେବା ସହିତ କେସ ଫାଇଲ କରିଥିଲେ। ମାନବ ଅଧିକାର କମିସନରେ କେସ୍ ଫାଇଲ୍ ପରେ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏସ ପୂଜାହାରୀଏହାର ଶୁଣାଣି କରି ନୟାଗଡ ଏସପିଙ୍କୁ ରିପୋର୍ଟ ମାଗିଥିଲେ। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ତତ୍କାଳୀନ ଏସପି ଜଣେ ଡିଏସପିଙ୍କ ଦ୍ୱାରା ତଦନ୍ତ କରାଇବା ସହିତ ସତ୍ୟ ଲୁଚାଇ କମିଶନଙ୍କୁ ମନଗଢା ରିପୋର୍ଟ ପ୍ରଦାନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଶୁଣାଣି ପରେ ନୟାଗଡ ଏସପି କିମ୍ବା ସମ୍ପୃକ୍ତ ଦୁଇ ପୁଲିସ ବାବୁ ହାଜର ହୋଇ ପକ୍ଷ ରଖିନଥିଲେ। ଯାହାଫଳରେ ବାରମ୍ବାର କମିସନଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ନେଇ ଦୁଇ ଜଣଙ୍କ ଗିରଫ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି ମାନବାଧିକାର କମିଶନ। ଘଟଣାର ଶୁଣାଣି କମିଶନ ଅଧ୍ୟକ୍ଷ ଜଷ୍ଟିସ ଏସ ପୂଜହାରୀ କରିଥିବା ବେଳେ ଆସନ୍ତା ୩୧ ତାରିଖକୁ ପରବର୍ତୀ ଦିନ ଧାର୍ଯ୍ୟ କରିଛନ୍ତି। ଦୁଇ ପୋଲିସ ବାବୁଙ୍କ କଳା କାରନାମା ଜିଲ୍ଲାରେ ପୁଲିସ ଭାବମୂର୍ତ୍ତିକୁ ନଷ୍ଟକରୁଛି।