
ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳ ହେବ ଏସିଆର ବୃହତ୍ ବନ୍ଧ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ୧୦୦ କୋଟି ଅନୁଦାନରେ ବିକାଶ କାର୍ଯ୍ୟ ଆରମ୍ଭ।ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ପାଇବ ହୀରାକୁଦ ଡ୍ୟାମ୍ । ଝଲସିବ ବୁର୍ଲା ପାୱାର ଚ୍ୟାନେଲ୍ ଏବଂ ଏହାର ଆଖପାଖ ଅଞ୍ଚଳ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ନିର୍ମାଣ ହେବାକୁ ଯାଉଛି ‘ୱାଟର ସିମ୍ପନୀ ଲେଜର ସୋ’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଏବଂ କେନ୍ଦ୍ର ସରକାରଙ୍କ ୧୦୦ କୋଟିର ଅନୁଦାନରେ ଏହି ମେଗା ପ୍ରକଳ୍ପର କାମ ଆରମ୍ଭ ହୋଇଛି ।ହୀରାକୁଦରେ ‘ୱାଟର ସିମ୍ପନୀ ଲେଜର ସୋ’ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ହୋଇ ସାରିଛି । ୨୫ କୋଟି ଟଙ୍କାର ଏହି ପ୍ରକଳ୍ପରେ ଆଲୋକ ଓ ପାଣିର ଯୁଗଳବନ୍ଦୀରେ ପର୍ଯ୍ୟଟକ ଦେଖିବେ ଲେଜର ସୋ’। ଏହାର ମଜା ନେବା ପାଇଁ ଏକ ବିଶାଳ ଗ୍ୟାଲେରୀ ମଧ୍ୟ ନିର୍ମାଣ ହେବ । ନିକଟରେ ସମ୍ବଲପୁର ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ଥାନ ଚିହ୍ନଟ ସହ ସ୍ଥିତି ନିରୀକ୍ଷଣ କରିଛନ୍ତି ।କେବଳ ଲେଜର ସୋ’ ନୁହେଁ, ଗତ ନଭେମ୍ବର ମାସରୁ ପାୱାର ହାଉସ୍ ତଳେ ଆରାଇଭାଲ ପ୍ଲାଜା ଓ ହୀରାକୁଦ ମ୍ୟୁଜିୟମ୍ ପ୍ରକଳ୍ପର କାମ ଜୋରଦାର ଚାଲିଛି। ଏହି ମ୍ୟୁଜିୟମ୍ ମାଧ୍ୟମରେ ପର୍ଯ୍ୟଟକମାନେ ହୀରାକୁଦ ବନ୍ଧ ନିର୍ମାଣର ଇତିହାସ ଏବଂ ବିସ୍ଥାପନର କରୁଣ କାହାଣୀ ବିଷୟରେ ଜାଣିପାରିବେ ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସମ୍ବଲପୁର ଗସ୍ତ ସମୟରେ ଏହି ପ୍ରକଳ୍ପର ସମୀକ୍ଷା କରି କାମକୁ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଏହି ବିଶ୍ଵସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବ ।୨୦୨୫ ଜାନୁଆରୀ ୨୨ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦ ଗସ୍ତ କରି ପର୍ଯ୍ୟଟନ ବିକାଶ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାତ୍ର ୮ ମାସ ମଧ୍ୟରେ କେନ୍ଦ୍ର ପକ୍ଷରୁ ୧୦୦ କୋଟିର ପାଣ୍ଠି ମଞ୍ଜୁର ହୋଇଥିଲା । ଯାହା ଏବେ ସମ୍ବଲପୁର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି




