
ମଝି ଆକାଶରେ ୪ ଘଣ୍ଟା ଆତଙ୍କ । ଭଗବାନଙ୍କୁ ଡାକୁଥିଲେ ବିମାନରେ ଥିବା ଯାତ୍ରୀ । ଜୀବନ ରକ୍ଷା ପାଇଁ ଶୁଭୁଥିଲା ଆର୍ତ୍ତ ଚିତ୍କାର । ଏୟାରଲାଇନ୍ସର ବିମାନ Fly91 ସ୍ବାଭାବିକ ଭାବେ ଉଡ଼ାଣ ଭରୁଥିଲା । ସବୁକିଛି ଠିକ୍ ଠାକ୍ ବି ଥିଲା । ହେଲେ ହଠାତ୍ ମଝି ଆକାଶରେ ଜୀବନ ସହ ଯୁଦ୍ଧ ଚାଲିଲା ।
୪ ଘଣ୍ଟା ଧରି ଉପାୟ ନପାଇ ଆକାଶରେ ବିମାନକୁ ଉଡାଇବା ଜାରି ରଖିଥିଲେ ପାଇଲଟ୍ । ଅବତରଣ ପାଇଁ କୌଣସି ବାଟ ବାହାରି ପାରୁନଥିଲା । ତେଣୁ ଯାତ୍ରୀମାନେ କାନ୍ଦି କାନ୍ଦି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ହେଲେ ପାଇଲଟ୍ ଆଶ୍ବସନା ଦେଇ ବିମାନଟିକୁ ଭଲରେ ଲ୍ୟାଣ୍ଡିଂ କରାଇବାକୁ ପ୍ରତିଶ୍ରୁତି ବି ଦେଉଥିଲେ । ଶେଷରେ ୪ ଘଣ୍ଟାର ଦୀଗହରା ଉଡ଼ାଣ ପରେ ବେଙ୍ଗାଲୁରୁରେ ଅବତରଣ କରିଥିଲା ବିମାନ ।
ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା Fly91 ଏୟାରଲାଇନ୍ସର ବିମାନ I ଅପରାହ୍ଣ ୪:୩୦ରେ ହୁବାଲିରେ ଅବତରଣ କରିବାର ଥିଲା । କିନ୍ତୁ, ବିମାନଟି ହୁବାଲି ନିକଟରେ ପହଞ୍ଚିବା ମାତ୍ରେ ପାଗରେ ହଠାତ୍ ପରିବର୍ତ୍ତନ ହୋଇଥିଲା ।
ଯାହାଫଳରେ ପାଇଲଟଙ୍କୁ ଅବତରଣ ପାଇଁ ଅନୁମତି ମିଳିନଥିଲା । ଏ କଥା ଜାଣିବା ପରେ ଯାତ୍ରୀମାନେ ଜୀବନ ପ୍ରତି ବିପଦ ଥିବା ଜାଣି ନେଇଥିଲେ । ନିକଟରେ ଘଟିଥିବା ବଡ଼ ବଡ଼ ବିମାନ ଦୁର୍ଘଟଣା କଥା ମନେ ପକାଇ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । କିଛି ଯାତ୍ରୀ କାନ୍ଦିବାକୁ ଲାଗିଥିଲେ ।
ବିମାନ କ୍ରୁ ମାନଙ୍କ ପକ୍ଷରୁ ଯାତ୍ରୀଙ୍କ ମନୋବଳ ବଢ଼ାଯାଇଥିଲା ଏବଂ ଧୈର୍ଯ୍ୟ ରଖିବାକୁ କୁହାଯାଇଥିଲା । ହେଲେ ଯାତ୍ରୀମାନଙ୍କ କାନ୍ଦିବା ଥମିନଥିଲା । ପରେ ପାଗରେ ଟିକିଏ ସୁଧାର ଆସିବାରୁ ପାଇଲଟ୍ଙ୍କୁ ବେଙ୍ଗାଲୁରୁରେ ବିମାନ ଅବତରଣ ପାଇଁ ଅନୁମତି ମିଳିଥିଲା ।
ସେହି ସମୟରେ କିଛି ଯାତ୍ରୀ ଏୟାରଲାଇନ୍ସ ଉପରେ ଅସନ୍ତୋଷ ଝାଡ଼ିଥିଲେ । ଏୟାରଲାଇନ୍ସର ଅବହେଲା ବୋଲି କହିଥିଲେ । ଯାହାକୁ ନେଇ ବର୍ତ୍ତମାନ ଏୟାରଲାଇନ୍ସ ତାର ବିବୃତ୍ତି ରଖିଛି ।
ବିମାନ କମ୍ପାନୀ କହିଛି, ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା । ବିମାନଟି ରାତି ୩ଟାରେ ହାଇଦ୍ରାବାଦରୁ ଯାତ୍ରା କରିଥିଲା । ହୁବାଲି ନିକଟରେ ପହଞ୍ଚିବା ପରେ, ଖରାପ ପାଗର ସମ୍ମୁଖୀନ ହେଲା । ତେଣୁ ପ୍ରୋଟୋକଲ ଅନୁସାରେ ବିମାନଟି ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଥିଲା । ପରବର୍ତ୍ତୀ ସମୟରେ ହୁବାଲିକୁ ହାଇଦ୍ରାବାଦର ଘରୋଇ ବେସକୁ ଫେରି ଆସିଥିଲା ବୋଲି ଏୟାରଲାଇନ୍ସ ତା’ ବିବୃତ୍ତିରେ କହିଛି ।
ଏୟାରଲାଇନ୍ସ ଆହୁରି କହିଛି, ପାଗ ଖରାପ ଥିବା ସମୟରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ସାଲିସ କରାଯାଇ ନଥିଲା । ବିମାନର ପାଇଲଟ୍, କ୍ୟାବିନ୍ କ୍ରୁ ଏବଂ ଗ୍ରାଉଣ୍ଡ ଷ୍ଟାଫ ବେଶ୍ ଦକ୍ଷ ଥିଲେ । ଯେକୌଣସି ପରିସ୍ଥିତିକୁ ପରିଚାଳନା କରିବା ପାଇଁ ସେମାନେ ତାଲିମପ୍ରାପ୍ତ । ତା’ ସହ ଏୟାରଲାଇନ୍ସର ଏକ “ନିର୍ଦ୍ଦିଷ୍ଟ ସୁରକ୍ଷା ରେକର୍ଡ” ଅଛି ବୋଲି କଂପାନି ତା’ର ବିବୃତ୍ତିରେ ଦୃଢ଼ୋକ୍ତି ବାଢ଼ିଛି । ତେବେ ବର୍ତ୍ତମାନ ଯାତ୍ରୀମାନେ ସୁରକ୍ଷିତ ଭାବେ ଫେରିସାରିଛନ୍ତି । ସଂଧ୍ୟା ସାଢ଼େ ୭ଟା ସମୟରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ।




