ପଲ୍ୟୁସନ, ଇନ୍ସୁରାନ୍ସ ଓ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ
ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଥିଲେ ଫାଇନ୍ ଗଣିବେ । ଏ ନିୟମ ଆସିବା ପରଠାରୁ ଲୋକେ ପଲ୍ୟୁସନ୍ ପାଇଁ ଧାଡ଼ି ଲଗାଇଲେ ।କିନ୍ତୁ କଥା ହେଲା ପୂର୍ବରୁ ଫାଇନ୍ ଥିଲେ ନୂଆ ସାର୍ଟିଫିକେଟ୍ ହେବ ନାହିଁ । ଏମିତିରେ ସରକାରୀ ନିୟମ ମୁତାବକ ଆଜିଠାରୁ ଅନଲାଇନ୍ ସହ ଅଫଲାଇନରେ ବି ଆରମ୍ଭ ହୋଇଛି ଫାଇନ୍ ଆଦାୟ । ତେବେ ଅଫଲାଇନରେ ଫାଇନ୍ ଜମା କରିବାକୁ ପ୍ରଥମ ଦିନରେ ସେମିତି ଆଗ୍ରହ ଦେଖିବାକୁ ମିଳିନାହିଁ । ଅନ୍ୟପଟେ ପରିବହନ ମନ୍ତ୍ରୀ କହିଛନ୍ତି, ନିୟମ କଡ଼ା ହେବା ପକ୍କା । ଗାଡ଼ି ମାଲିକ ପଲ୍ୟୁସନ ସହ ଇନ୍ସୁରାନ୍ସ ଓ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ।ପଲ୍ୟୁସନ ସାର୍ଟିଫିକେଟ୍ କଲା ବେଳେ ଆଉ ପୁରଣା ଫାଇନ୍ ନେଇ ହଇରାଣ ହେବାକୁ ପଡ଼ିବନି । କାରଣ ଆଜିଠୁ ଅଫଲାଇନରେ ବି ଫାଇନ୍ ପୈଠର ବ୍ୟବସ୍ଥା ହୋଇଛି । ଅଫଲାଇନ୍ରେ ଫାଇନ୍ ଭରିବା ପାଇଁ ଭୁବନେଶ୍ବରର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ମୋବାଇଲ ନମ୍ବର ଲିଙ୍କ ହୋଇ ନ ଥିବାରୁ ସମସ୍ୟା ଭୋଗୁ ଛନ୍ତି ଚାଳକ । ପ୍ରତି ଆରଟିଓ ଅଫିସରେ ଅଫଲାଇନ ଫାଇନ ଆଦାୟ ପାଇଁ ସ୍ବତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ଏହା ବେଶ ସହାୟକ ହେବ ବୋଲି କୁହାଯାଉଛି । ଯାହାକୁ ସ୍ବାଗତ କରିଛନ୍ତି ଗାଡ଼ି ଚାଳକ ।ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗାଡ଼ି ଚାଳକଙ୍କ ପାଇଁ କଡ଼ା ନିୟମ କରାଯାଇଛି । ପଲ୍ୟୁସନ୍, ଇନ୍ସୁରାନ୍ସ ଓ ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ । ରାଜ୍ୟରେ ଯେଉଁମାନେ ଗାଡ଼ି ଚଳାଉଛନ୍ତି, ସେମାନେ ଗାଡ଼ି ସଂପର୍କିତ ସମସ୍ତ ନିୟମ ମାନିବାକୁ ବାଧ୍ୟ । ରାଜ୍ୟରେ ଏବେ ପାଖାପାଖି ଏକ କୋଟିରୁ ଅଧିକ ଗାଡ଼ି ରେଜିଷ୍ଟ୍ରେସନ ହୋଇଥିବାବେଳେ, ପଲ୍ୟୁସନ ନଥିବା ଗାଡ଼ିରୁ ଅଧିକ ଧୂଆଁ ବାହାରୁଥିବାରୁ ପରିବେଶ ଗୁରୁତର ଭାବେ ପ୍ରଭାବିତ ହେଉଛି । ୨୦୧୯ ମସିହାରେ ପଲ୍ୟୁସନ ନିୟମ କଡ଼ା କରି ସରକାର ୧୦ ହଜାର ଟଙ୍କା ଜରିମାନା ଲାଗୁ କରିଥିଲେ । ଜାଲି ପଲ୍ୟୁସନ ସାର୍ଟିପିକେଟ ବାହାର କରୁଥିବା ୪୨ଟି ପଲ୍ୟୁସନ ସେଣ୍ଟରକୁ ବନ୍ଦ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।ରାଜ୍ୟରେ ଗଡ଼ୁଥିବା ୧ କୋଟି ୧୭ ଲକ୍ଷ ଗାଡି ଭିତରୁ ୫୦ ରୁ ୬୦ ଲକ୍ଷ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ ନାହିଁ । ଆଉ ଏବେ ସରକାରଙ୍କ ତାଗିଦ ପରେ ପଲ୍ୟୁସନ୍ ସାର୍ଟିଫିକେଟ କରିବାକୁ ଏବେ ଲମ୍ବା ଧାଡ଼ି ଲାଗୁଛି ।




