
ଅଷ୍ଟ୍ରେଲିଆର ରାଜଧାନୀ ସିଡନୀରେ ଆତଙ୍କୀ ଆକ୍ରମଣରେ ଥରି ଉଠିଛି। ବଣ୍ଡି ବିଚ୍ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬:୪୫ ସମୟରେ ଆର୍ଚର ପାର୍କ ଓ ବଣ୍ଡି ପ୍ୟାଭିଲିୟନ୍ ନିକଟରେ ଚାଲିଥିବା ‘ହାନୁକା’ ଉତ୍ସବରେ ହଠାତ୍ ଇହୁଦୀଙ୍କୁ ଟାର୍ଗେଟ୍ କରି ଦୁଇ ଜଣ ଆତଙ୍କୀ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିଥିଲେ। ସେତେବେଳେ ଘଟଣାସ୍ଥଳରେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିଲେ। ଇସ୍ରାଏଲରେ ଗତ ‘ଅକ୍ଟୋବର ୭’ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି ଆଜିର ବଣ୍ଡି ବିଚ୍ ଗୁଳିକାଣ୍ଡରେ ଆହତ ହୋଇଥିବା ଜଣାପଡ଼ିଛି। ଜଣାଶୁଣା ଇହୁଦୀ ନେତା ଆର୍ସେନ୍ ଓଷ୍ଟ୍ରୋଭସ୍କି ମଧ୍ୟ ଆହତ ହୋଇଥିବା ପୁଲିସ ସ୍ପଷ୍ଟ କରିଛି।




