
ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଏଭଳି ଘଟଣା ଯେ, ଗାଁ ସାରା ଲୋକ କାନ୍ଦୁଛନ୍ତି। ବୁଲିବାକୁ ଅଜା ଘରକୁ ଆସିଥିଲେ। କିନ୍ତୁ ଦଇବ ଏମିତି କଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେିଛି। ସତେ ଯେମିତି ଯମ ଛକି ବସିଥିଲେ କୁନି କୁନି ଶିଶୁଙ୍କୁ ନେବାକୁ। ଦଇବ ମରଣ ଆଡ଼କୁ ବାଟ କଢେଇ ନେଲା। ୩ ଛୁଆ ଡକାଡକି ହୋଇ ଚାଲିଗଲେ।
ଏପଟେ ମା’ ଛାତି ଫାଟିଯାଉଛି। ତା’ ଧନ ଶୋଇଛି ଯେ, ଆଉ ଉଠୁନି। କାନ୍ଦ ଦେଖିଲେ ହୃଦୟ ଫାଟିଯିବ। ହେଲେ ବିଧାତା ଏତେ ନିଷ୍ଠୁର କେମିତି ହେଲା। ଏହି ନିଷ୍ପାପ ଶିଶୁମାନେ କି ଦୋଷ କରିଥିଲେ। କାହିଁକି ଏମିତି ହେଲା। ଆଜି ଖେଳୁଥିବାବେଳେ ଲାଟିନ ଟାଙ୍କିରେ ପଡି ଦୁଇ ନାବାଳକଙ୍କ ସହ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ଶୁଭମ ନାୟକ (୩), ଶିବାନି ନାୟକ (୭), ଅଙ୍କିତ ନାୟକ (୯) ବର୍ଷ। ମୃତକ ତିନି ଜଣ ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁର। ବଡମ୍ବା ମେଡିକାଲରେ ପୋଲିସ ପହଞ୍ଚି ତିନି ମୃତଦେହକୁ ପୃଥକ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଠଗଡ଼ SDPO ବିଶ୍ୱଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।




