ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ଲକ୍ଷ୍ମଣ ବାଗଙ୍କ ପୁଅ ଭଜନ ବାଗ(୩୨) ଏବଂ ତାଙ୍କ ପୁତୁରା ତଥା ପରଦେଶୀ ବାଗଙ୍କ ପୁଅ ପାର୍ଥ ବାଗ(୧୪) ଏକ ବାଇକରେ ଅଙ୍ଗନଦୀ ପୋଲ ଉପରେ ଦେଇ ଲୋଇସିଂହାକୁ ଯାଉଥିଲେ। ପାର୍ଥ ବାଗଙ୍କ ଭଉଣୀର ବାହା ଘର ନିମନ୍ତ୍ରଣ କାର୍ଡ ଦେବାକୁ ଯାଉଥିଲେ । ୨୬ ନମ୍ବର ଜାତୀୟ ରାଜପଥର ବିପରୀତ ଦିଗରୁ ଏକ ଗାଜର ବୋଝେଇ ମହିନ୍ଦ୍ରା ସୁପ୍ରୋ ଗାଡି ବାଇକକୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାର୍ଥ ବାଗକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଭଜନଙ୍କୁ ବରଗଡ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।ମୃତ ପାର୍ଥ ବାଗ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ବାପାମାଙ୍କ ଏକମାତ୍ର ପୁତ୍ର । ଗୋଟିଏ ମାତ୍ର ଭଉଣୀର ବାହା ଘର ଆସନ୍ତା ଜାନୁୟାରୀ ୨୮ତାରିଖରେ ସରଧାପାଲିରେ ହେବାକୁ ଥିବା ବେଳେ ଉଭୟ କାକା-ପୁତୁରା କାର୍ଡ ବାଂଟୁଥିଲେ । ଗୋଟିଏ ପରିବାରର ଦୁଇ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଂଚିଥିଲେ । ସେଠାରେ କାନ୍ଦ ବୋବାଲିରେ ଫାଟି ପଡ଼ୁଥୁଲା । ଡୁଙ୍ଗୁରିପାଲି ପୁଲିସ୍ ଖବର ପାଇ ଘଟଣାର ତଦନ୍ତ କରୁଛି । ଡୁଙ୍ଗୁରିପାଲି ଡାକ୍ତରଖାନାରେ ଥିବା ପାର୍ଥର ମୃତ ଦେହ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଯିବ ବୋଲି ଥାନାଧୁକାରୀ ରୋଜାଲିନ କହିଛନ୍ତି।




