
ଇନ୍ଦୋରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବୁଧବାର ଭୋରରେ ଇଲେକ୍ଟ୍ରିକ୍ କାର ଚାର୍ଜ ହେଉଥିବା ସମୟରେ ସର୍ଟ ସର୍କିଟ୍ ହୋଇଛି । ଘର ବାହାରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ କାର ଚାର୍ଜିଂ ସମୟରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଗଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସଙ୍ଗେ ସଙ୍ଗେ ଘର ଚାରିପଟେ ମାଡିଗଲା। ଅଗ୍ନିକାଣ୍ଡ ଘଟି ଆଠ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।।
ପ୍ରତ୍ୟକ୍ଷଦର୍ଶୀ ଏବଂ ପ୍ରାଥମିକ ତଦନ୍ତ ଅନୁଯାୟୀ, ପୁଗାଲିଆ ପରିବାରର ଏହି ଇଲେକ୍ଟ୍ରିକ୍ କାରଟି ଗତକାଲି ବିଳମ୍ବିତ ରାତିରେ ଚାର୍ଜିଂ କରାଯାଇଥିଲା। ପ୍ରାୟ ୪ଟା ସମୟରେ, ଚାର୍ଜିଂ ପଏଣ୍ଟରେ ଏକ ସର୍ଟସର୍କିଟ୍ ଘଟି ଗାଡ଼ିଟି ଜଳିଗଲା। ଯାହାଫଳରେ ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା, ଘର ପର୍ଯ୍ୟନ୍ତ ପହଞ୍ଚି ଭିତରେ ରଖାଯାଇଥିବା ଗ୍ୟାସ୍ ସିଲିଣ୍ଡର ଯାଏ ମାଡିଥିଲା ଯାହା ଫଳରେ ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ ଫାଟିଗଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରର ଏକ ଅଂଶ ଭୁଶୁଡ଼ି ପଡ଼ିଲା, ଭିତରେ ଶୋଇଥିବା ଲୋକମାନଙ୍କୁ ବାହାରକୁ ଯିବାର କୌଣସି ସୁଯୋଗ ମିଳିଲା ନାହିଁ। ଏହି କାରଣ ଯୋଗୁଁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଛି। ଏପର୍ଯ୍ୟନ୍ତ ୮ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି, ଯେତେବେଳେ ଆହତମାନେ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି।
ପୋଲିସ କମିଶନରଙ୍କ ଅନୁଯାୟୀ, ତିଲକ ନଗର ପୋଲିସ ଷ୍ଟେସନରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ତୁରନ୍ତ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ତିନି ମହଲା ବିଶିଷ୍ଟ ଏହି ଘରେ ମନୋଜ ସେଠିଆଙ୍କ ପରିବାର ରହୁଥିଲେ। ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ସମୟରେ, ତିନି ଜଣଙ୍କୁ ସୁରକ୍ଷିତ ଭାବରେ ପରିସରରୁ ବାହାର କରାଯାଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଘରେ ଇଲେକ୍ଟ୍ରୋନିକ୍ ତାଲା ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଥିବାରୁ, ଏହି ତାଲାଗୁଡ଼ିକ ଖୋଲିପାରିଲା ନାହିଁ, ଯାହା ଫଳରେ ଭିତରେ ଫସି ରହିଥିବା ଲୋକଙ୍କ ପାଇଁ ବହୁତ ଅସୁବିଧା ହୋଇଥିଲା।




