ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ।ଯେଉଁ ମାନେ ସହରାଞ୍ଚଳରେ ନିଜର ଘର ତିଆରି କରିବା ପାଇଁ ସକ୍ଷମ ନୁହନ୍ତି । ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମଜୀବୀ ମହିଳା ମାନଙ୍କୁ ସରକାର ଭଡ଼ାରେ ଘର ଦେବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ର ଅପରେସନଆଲ ଗାଇଡ ଲାଇନ ଅନୁଯାୟୀ 2ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ । ମଡେଲ ନମ୍ବର ୧ରେ ସରକାରଙ୍କ ଅଧୀନରେ ଥିବା ଖାଲି ଘର ଏବଂ ବିଲଡିଙ୍ଗ ଗୁଡ଼ିକୁ ପିପିପି ମୋଡରେ କିମ୍ବା ପବ୍ଲିକ ଏଜେନ୍ସି ମାଧ୍ୟମରେ ସୁଲଭ ମୂଲ୍ୟ ଭଡ଼ା ଘର ଭାବେ ରୂପାନ୍ତରିତ କରାଯିବ । ଆଉ ମଡେଲ ନମ୍ବର ୨ରେ ବେସରକାରୀ ସଂସ୍ଥା ମାନେ ଘର ତିଆରି କରି ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଭଡ଼ାରେ ଦେଇପାରିବେ।ଏବେ ସାରା ରାଜ୍ୟରେ ଖାଲି ପଡ଼ିଛି ଅନେକ ସରକାରୀ କ୍ବାର୍ଟର। କିଛି ବ୍ୟକ୍ତି ଯୋର ଜବରଦସ୍ତ ସରକାରୀ କ୍ବାର୍ଟରକୁ ମାଡ଼ି ବସିଛନ୍ତି। ଅନ୍ୟପଟେ ଶତାଧିକ ସରକାରୀ କ୍ବାର୍ଟର ଭୁତ କୋଠି ହୋଇ ପଡ଼ି ରହିଛି।




