
ବର୍ତ୍ତମାନ ସୂର୍ଯ୍ୟ ନିଜର ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛନ୍ତି। ସୂର୍ଯ୍ୟ ପୃଷ୍ଠରେ କ୍ରମାଗତ ଭାବେ ଶକ୍ତିଶାଳୀ ‘ସୌରଝଡ଼’ବା ସୋଲାର୍ ଫ୍ଲେୟାର୍ସ ସୃଷ୍ଟି ହେଉଛି, ଯାହା ପୃଥିବୀ ପାଇଁ ବିପଦର ସଙ୍କେତ ସାଜିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସମେତ ବିଶ୍ୱର ପ୍ରମୁଖ ମହାକାଶ ଏଜେନ୍ସିଗୁଡ଼ିକ ହାଇ-ଆଲର୍ଟ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ସନ୍ସ୍ପଟ୍ରୁ ଏକାଧିକ ‘ଏକ୍ସ-କ୍ଲାସ୍’ ସୌରକଣିକା ନିର୍ଗତ ହୋଇଛି। ଏଥିମଧ୍ୟରୁ ଫେବ୍ରୁଆରି ୧ ତାରିଖରେ ହୋଇଥିବା ଏକ୍ସ ୮.୩ ଶ୍ରେଣୀର ସୌରଝଡ଼ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏହାର ପ୍ରଭାବରେ ପୃଥିବୀର ବାୟୁମଣ୍ଡଳରେ ରେଡିଓ ବ୍ଲାକ୍ଆଉଟ୍ ପରି ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।ଇସ୍ରୋ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ସୌରଝଡ଼ ଯୋଗୁଁ ଉଚ୍ଚ-ଫ୍ରିକ୍ୱେନ୍ସି ରେଡିଓ ସେବା, ଜିପିଏସ୍ ଏବଂ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାରେ ବାଧା ଉପୁଜିପାରେ। ଭାରତର ଆଦିତ୍ୟ-ଏଲ୧ ମିସନ ଏହି ଗତିବିଧି ଉପରେ କଡ଼ା ନଜର ରଖିଛି। ମହାକାଶରେ ଥିବା ପ୍ରାୟ ୫୦ରୁ ଅଧିକ ଭାରତୀୟ ଉପଗ୍ରହକୁ ସୁରକ୍ଷିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।




