ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନୂଆବିଧାନସଭା ସୌଧ ନିର୍ମାଣ ପାଇଁ ଭିତ୍ତିସ୍ଥାପନ ପରେ ବିଧାନସଭା କ୍ଷେତ୍ର ପୁନର୍ଗଠନ ଚର୍ଚ୍ଚା ଉଠିଛି।ଶେଷ ଥର ପାଇଁ ୨୦୦୭ରେ ପୁନର୍ଗଠନ ହୋଇଥିବା ବେଳେ ତାହା ୨୦୦୯ ସାଧାରଣ ନିର୍ବାଚନରେ ଲାଗୁ କରାଯାଇଥିଲା । କିଛି ବିଧାନସଭା କ୍ଷେତ୍ରକୁ ଭାଙ୍ଗି ପୁନର୍ଗଠନ କରାଯାଇଥିବା ବେଳେ ମୋଟ ଆସନ ସଂଖ୍ୟା କିନ୍ତୁ ସେହି ୧୪୭ରେ ଅପରିବର୍ତ୍ତିତ ରହିଥିଲା ।୧୯୭୧ ଜନଗଣନା ଅନୁସାରେ ୧୯୭୪ ନିର୍ବାଚନ ବେଳେ ବିଧାନସଭା କ୍ଷେତ୍ର ପୁନର୍ଗଠନ ହୋଇଥିଲା । ୧୯୭୪ରେ ବିଧାନସଭା ଆସନ ୧୪୦ରୁ ବଢ଼ି ୧୪୭ରେ ପହଞ୍ଚିଥିଲା । ଶେଷଥର ପାଇଁ ୨୦୦୭-୦୮ରେ ପୁନର୍ଗଠନ ହୋଇଥିଲେ ବି ଆସନ ସଂଖ୍ୟା କିନ୍ତୁ ସେହି ୧୪୭ ରହିଥିଲା । ୧୯୭୧ ଜନଗଣନା ବେଳେ ଓଡ଼ିଶା ଜନସଂଖ୍ୟା ୨ କୋଟି ୧୯ ଲକ୍ଷ ଥିଲା ବେଳେ ଏବେ ତାହା ସାଢ଼େ ୪ କୋଟିରୁ ଉର୍ଦ୍ଧ୍ଵ ହେଲାଣି । ସେ ତୁଳନାରେ ଦେଖିଲେ ଏଥର ପୁନର୍ଗଠନର ୫୦ରୁ ଅଧିକ ଆସନ ବଢ଼ିବା ସମ୍ଭାବନା ରହିଛି । ସଂଖ୍ୟା ବଢ଼ିଲେ ରାଜ୍ୟର ଅନେକ ବିଧାନସଭା କ୍ଷେତ୍ରକୁ ଭାଙ୍ଗି ପୁନର୍ଗଠନ କରାଯିବା ଏକ ପ୍ରକାର ନିଶ୍ଚିତ । ୨୦୨୫ ଭୋଟର ଲିଷ୍ଟ ଅନୁସାରେ ରାଜ୍ୟରେ ମୋଟ ୩୨ଟି ବିଧାନସଭା କ୍ଷେତ୍ର ଏମିତି ରହିଛି ଯାହାର ଭୋଟର ସଂଖ୍ୟା ଅଢ଼େଇ ଲକ୍ଷରୁ ଅଧିକ ।ଭୋଟର ସଂଖ୍ୟା ଅନୁସାରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ମୋଟ ୩ ଲକ୍ଷ ୯ ହଜାର ୧୧୪ ଭୋଟର । ରାଜ୍ୟରେ ସର୍ବାଧିକ ଭୋଟର ପାଟଣାଗଡ଼ରେ ରହିଛନ୍ତି ।ବିନା ଦ୍ବିଧାରେ କୁହାଯାଇପାରେ ଯେ ପାଟଣାଗଡ଼ ଆସନ ନିଶ୍ଚିତ ଭାବେ ପୁନର୍ଗଠନ ହେବ । ପାଟଣାଗଡ଼ ପରକୁ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିରେ ରହିଛନ୍ତି ଦ୍ବିତୀୟ ସର୍ବାଧିକ ୨ ଲକ୍ଷ ୯୨ ହଜାର ୧୩୪ ଭୋଟର ।ପରେ କଣ୍ଟାବାଂଜିରେ ରହିଛି ତୃତୀୟ ସର୍ବାଧିକ ୨ ଲକ୍ଷ ୮୩ ହଜାର ୩୩୯ ଭୋଟର । ଏଣୁ ପୁନର୍ଗଠନ ଭୁବନେଶ୍ବର ଉତ୍ତର ଏବଂ କଣ୍ଟାବାଂଜି କ୍ଷେତ୍ର ପୁନର୍ଗଠନ ହେବା ନିଶ୍ଚିତ ।ସେହିଭଳି ୨ ଲକ୍ଷ ୭୦ ହଜାରରୁ ଅଧିକ ଭୋଟର ସଂଖ୍ୟାଥିବା ବିଧାନସଭା କ୍ଷେତ୍ର ମଧ୍ୟରେ ରହିଛି ପଦ୍ମପୁର, ଭଦ୍ରକ,ଢେଙ୍କାନାଳ, ବାସୁଦେବପୁର, ମାହାଙ୍ଗା ଏବଂ ଭୁବନେଶ୍ବର ଏକାମ୍ର । ଏସବୁ ବିଧାନସଭା କ୍ଷେତ୍ରକୁ ଭାଙ୍ଗି ଭାଗ ଭାଗ କରାଯାଇପାରେ । ଅଢ଼େଇ ଲକ୍ଷରୁ ଅଧିକ ଭୋଟର ଥିବା ଆସନ ମଧ୍ୟରେ ରହିଛି ରାଜଗାଙ୍ଗପୁର, ଦେବଗଡ଼,ସିମୁଳିଆ, ଜଳେଶ୍ବର, ଧାମନଗର, ଚାନ୍ଦବାଲି, ହିନ୍ଦୋଳ, ସୋନପୁର, ଟିଟିଲାଗଡ଼, ଖଡ଼ିଆଳ, ଧର୍ମଗଡ଼, ବଡ଼ମ୍ବା, ବାରବାଟୀ କଟକ, ନିଆଳି, ସାଲେପୁର, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଟଣୀ, ଖୋର୍ଦ୍ଧା, ପୋଲସରା, ମୋହନା, ରାୟଗଡ଼ା ଏବଂ ମାଲକାନଗିରି । ପୁନର୍ଗଠନ ହେଲେ ଏସବୁ ବିଧାନସଭା କ୍ଷେତ୍ରକୁ ଭାଗ ଭାଗ କରାଯାଇ ଛୋଟ କରାଯାଇପାରେ । ତେଣୁ ପୁନର୍ଗଠନ ହେଲେ ଓଡ଼ିଶା ବିଧାନସଭା ମୋଟ ଆସନ ସଂଖ୍ୟା ୨ଶହ ଟପିଯିବା ବିଚିତ୍ର ନୁହେଁ । ତେବେ ୧୪୭ରୁ ବଢ଼ି କେତେ ହେବ ପୁନର୍ଗଠନ ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।




