
ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଭାଲିଆସାହି ଡଳକୋଟା ଗ୍ରାମର ସରସ୍ବତୀ ମଣ୍ଡଳଙ୍କ ତିନି ମାସର ଶିଶୁ ପୁତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଯୋଗୁଁ ରବିବାର ସକାଳେ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ତେବେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲେ ମଧ୍ୟ ରେଫର କରା ଯାଇଥିଲା।କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଦର୍ଶାଇ ସେଠାକାର ଚିକିତ୍ସକ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଚ୍ଚ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ଅପରପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଜଣକ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ମାତ୍ରେ ଶିଶୁଟିର ମୃତ୍ୟୁ ଘଟିଥିବା ଶିଶୁଙ୍କ ମା’ ସରସ୍ବତୀଙ୍କୁ ଜଣାଇଥିଲେ ଏବଂ ଶିଶୁପୁତ୍ରଟିର ଦୀର୍ଘ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଯାଇଥିବାର ଜଣାଇଥିଲେ । ତେବେ ମୃତ୍ୟୁର ସମୟାନୁସାରେ ଶିଶୁପୁତ୍ରଟି ସମ୍ଭବତଃ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପୂର୍ବରୁ ହିଁ ମୃତ୍ୟୁ ଘଟି ସାରିଥିବା ଅନୁମାନ କରିଥିଲେ ଏଠାକାର ଚିକିତ୍ସକ । ଚିକିତ୍ସକଙ୍କ ଠାରୁ ଏପରି ଜାଣି ମୃତ ଶିଶୁପୁତ୍ରଙ୍କ ମା’ ସରସ୍ବତୀ ଦୁଃଖରେ ଭାଙ୍ଗି ପଡିଥିଲେ। ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ସ୍ବାମୀ ପ୍ରଦୀପ ରଇତ ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚଳାଉଥିବା ପ୍ରକାଶ କରିଛନ୍ତି । ଏହା ସହ ଅଯଥାରେ ଆମ୍ଭଙ୍କୁ ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ହଇରାଣ କରିଥିବାର କହିଛନ୍ତି । ଯଦି ସେଠାକାର ଚିକିତ୍ସକ ଜାଣିଥିଲେ ଯେ ଶିଶୁର ମୃତ୍ୟୁ ଘଟିଛି ବୋଲି ତେବେ କାହିଁକି ଏଠାକୁ ପଠାଇଲେ ତାହାହିଁ ସବୁଠାରୁ ଦୁଃଖ ଲାଗୁଛି ବୋଲି ଅଶ୍ରୁଭରା ନୟନରେ କହିଛନ୍ତି । ଅନ୍ୟପକ୍ଷରେ ତେବେ ସେମାନଙ୍କ ନିକଟରେ ପୁଣି ଫେରି ଯିବାକୁ ଆର୍ଥିକ ସମ୍ବଳ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ବଦାନ୍ୟ ଡାକ୍ତର ଏମାନଙ୍କୁ କିଛି ଆର୍ଥିକ ସହାୟତା କରିବା ସହ ଶିଶୁର ମୃତଦେହ ନେବା ପାଇଁ ବନ୍ଦୋବସ୍ତ କରାଇଥିବାର ଦେଖିବାକୁ ମିଳିଥିଲା ।




