
ପଞ୍ଜାବ ପୁଲିସର ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜି) ଅମର ସିଂହ ଚହଲଙ୍କୁ ପଞ୍ଜାବର ପଟିଆଲାରେ ତାଙ୍କ ଘରେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ନିଜେ ନିଜକୁ ଗୁଳି କରିଥିବା ସଂଦେହ କରାଯାଉଛି । ଅନଲାଇନ ଠକ ୮ କୋଟି ଟଙ୍କା ଲୁଟିନେଲା ପରେ ଏଭଳି ଘଟଣା ଘଟିଛି।
ପୂର୍ବତନ ଆଇଜିଙ୍କ ପରିବାର ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଟିଆଲାର ପାର୍କ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତରଙ୍କ ଏକ ଦଳ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି। ତେବେ ପୂର୍ବତନ ଆଇଜିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପରିବାର ସଦସ୍ୟମାନେ କହିଛନ୍ତି ଯେ ଅମର ସିଂହ ଚହଲ ନିଜକୁ ଗୁଳି ଚଳାଇଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ୧୨ ପୃଷ୍ଠାର ସୁଇସାଇଡ ନୋଟ୍ ଜବତ କରିଛି ।ଯେଉଁଥିରେ ଅନଲାଇନ୍ ଠକେଇ ଯୋଗୁଁ ଆର୍ଥିକ ସମସ୍ୟା ଥିବା ବିଷୟରେ ଉଲ୍ଲେଖ କରାଯାଇଛି। ତଥାପି ପୁଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ମାମଲାର ସମସ୍ତ ଦିଗରୁ ତଦନ୍ତ କରାଯାଉଛି ଏବଂ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ତଥ୍ୟଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯିବ ।




