
ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍ଦାର ବିଜୟ ହାସଲ କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୧୦୧ ରନ୍ରେ ଜିତିଛି। ୧୭୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୭୪ ରନ୍ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି।ଦକ୍ଷିଣ ଆଫ୍ରିକା ୬୮ ରନ୍ରେ ଷଷ୍ଠ ଓ ସପ୍ତମ (ମାର୍କେ ଜେନସେନ ଏବଂ ଡିୱାଲ୍ଡ ବ୍ରେଭିସ), ୭୦ ରନ୍ରେ ଅଷ୍ଟମ (କେଶବ ମହାରାଜ), ୭୨ ରନ୍ରେ ନବମ (ଆନରିକ୍ ନର୍ଥି) ଆଉଟ୍ ହୋଇଥିଲେ ଭାରତର ଅନ୍ତିମ ଶିକାର ହୋଇଥିଲେ ଲୁଥୋ ସିମ୍ପାଲା, ଯିଏକି ମାତ୍ର ରରନ୍ କରିଥିଲେ। ଜେନ୍ସେନ ୧୨ ରନ୍, କେଶବ ମହାରାଜ ଶୂନ୍ୟ ରନ୍, ଆନରିକ ୧ ରନ୍ ଓ ଲୁଥୋ ମାତ୍ର ୨ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଭମ ଦୁବେଙ୍କୁ ୧-୧ ୱିକେଟ୍ ମିଳିଥିଲା।




