
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ । ଏଆଇସିସି ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ୱ ଉପରେ ସହମତି ପ୍ରକାଶ ପାଇଛି।
ଘାସୀରାମ ୨୦୨୪ ନିର୍ବାଚନ ବେଳେ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ତାଙ୍କୁ ଟିକେଟ ନଦେଇ ତତ୍କାଳିନ ପିସିସି ସଭାପତି ଶରତ ପଟ୍ଟନାୟକ ସେହି ଆସନରୁ ଲଢ଼ିଲେ । ଯାହାଫଳରେ ଘାସୀରାମ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ ପାଇ ବିଜୟ ହୋଇଥିବା ବେଳେ ଘାସୀରାମ ସ୍ୱାଧୀନ ଭାବେ ୫୦ ହଜାର ୯୪୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଆଉ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ମାତ୍ର ୧୫ ହଜାର ୫୦୧ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ସେପଟେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
୨୦୧୯ ନିର୍ବାଚନ ବେଳେ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଘାସୀରାମ । ସେତେବେଳେ ସେ ୪୫ ହଜାର ୩୧୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଆଉ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ପରାଜିତ ହୋଇଥିଲେ । ସ୍ୱର୍ଗତ ଢୋଲକିଆ ୬୫ ହଜାର ୬୪୭ ଭୋଟ ପାଇ ବିଜୟୀ ହୋଇଥିଲେ ।
ସେହିଭଳି ୨୦୧୪ ନିର୍ବାଚନ ବେଳେ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଘାସୀରାମ । ସେତେବେଳେ ସେ ୩୯ ହଜାର ୬୫୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ୫୫ ହଜାର ୮୧୭ ଭୋଟ ପାଇ ବିଜୟୀ ହୋଇଥିଲେ । ଆଉ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୪୬ ହଜାର ୨୦୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ।ମୋଟାମୋଟି ଦେଖିବାକୁ ଗଲେ ଘାସୀରାମଙ୍କର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳିରେ ନିଜସ୍ୱ ଭୋଟ ରହିଛି । ସେ ସବୁବେଳେ କଡ଼ା ଫାଇଟ୍ ଦେଇ ଆସିଛନ୍ତି । ତେଣୁ ଏଥର ତାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ବାଜି ମାରିଛି।