
ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୩’ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍ ରେଜିଷ୍ଟର୍ କରିଛି। ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ଅନ୍ୟପକ୍ଷେ ଉତ୍ତର ପ୍ରଦେଶ (୧,୭୫୦ କେସ୍)କୁ ଓଡିଶା ପଛରେ ରହିଛି। ଏହି ରିପୋର୍ଟ୍ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ ୪% ବୃଦ୍ଧି ଦର୍ଶାଇଛି, ଯାହା ସମାଜରେ ନାରୀ ସୁରକ୍ଷାର ଗମ୍ଭୀର ଅଭାବକୁ ସୂଚାଇଛି।ସୂଚନା ଅନୁଯାୟୀ, ଓଡ଼ିଶା ୨୦୨୩ରେ ମହିଳାଙ୍କୁ ବଳାତ୍କାର କରିବା ଉଦ୍ଦେଶ୍ୟ ରଖି କରାଯାଇଥିବା ଆକ୍ରମଣରେ (ଆଇପିସି ଧାରା ୩୫୪) ମଧ୍ୟ ୫,୯୩୭ଟି କେସ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିରେ ରାଜସ୍ଥାନ (୬,୭୫୮ କେସ୍)ର ଦ୍ୱିତୀୟରେ ରହିଛି। ପ୍ରତି ଲକ୍ଷ ଜନସଂଖ୍ୟାରେ ଅପରାଧ ହାରରେ (୨୫.୮%) ଓଡ଼ିଶା ପ୍ରଥମ, ରାଜସ୍ଥାନ (୧୭.୧%) ଦ୍ୱିତୀୟ। ରାଜ୍ୟରେ ମହିଳାଙ୍କ ବିରୋଧରେ ସମ୍ପୂର୍ଣ୍ଣ ଅପରାଧ ୨୫,୯୧୪ଟି ହୋଇଛି, ଯାହା ୨୦୨୨ର ୨୩,୬୪୮ରୁ ବୃଦ୍ଧି ପାଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ୪.୪୮ ଲକ୍ଷ ଅପରାଧରୁ ଏକ ଅଂଶ, ଯେଉଁଥିରେ ପତି କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯ୍ୟାତନ (୧,୩୩,୬୭୬ କେସ୍), ଅପହରଣ (୮୮,୬୦୫) ଓ ବଳାତ୍କାର (୨୯,୬୭୦) ସର୍ବାଧିକ।ରାଜ୍ୟରେ ସମ୍ପୂର୍ଣ୍ଣ ଆଇପିସି ଅଧୀନରେ ରେଜିଷ୍ଟର୍ ହୋଇଥିବା ଅପରାଧ ୧,୭୦,୦୨୨ଟି, ଯାହା ୨୦୨୨ର ୧,୪୩,୪୧୪ରୁ ୧୮.୭% ବୃଦ୍ଧି। ମହିଳାଙ୍କ ବିରୋଧରେ ୨୫,୯୧୪ ଓ ଶିଶୁମାନଙ୍କ ବିରୋଧରେ ୮,୫୭୭ଟି ଅପରାଧ ରିପୋର୍ଟ୍ ହୋଇଛି, ଯାହା ଆଗର ବର୍ଷରୁ ୯.୬% ଓ ୪.୧% ବୃଦ୍ଧି। ରାଜ୍ୟ ଆୟାବହିର୍ଭୁତ ସମ୍ପତ୍ତି (ଡିଏ) ମାମଲାରେ ୮୫ଟି କେସ୍ ସହ ପ୍ରଥମ, କର୍ଣ୍ଣାଟକ (୮୪) ଦ୍ୱିତୀୟ।ତେବେ ହତ୍ୟା ଓ ବଳାତ୍କାର ହ୍ରାସ ଦେଖିବାକୁ ମିଳିଛି। ୨୦୨୨ର ୧,୩୭୯ ହତ୍ୟା ଓ ୧,୪୬୪ ବଳାତ୍କାର କେସ୍ରୁ ୨୦୨୩ରେ ୧,୩୬୨ ଓ ୧,୧୯୫ଟି ହତ୍ୟାକାଣ୍ଡ ଘଟିଛି, ଯାହା ୧. ୮% ଓ ୧୮.୪% ହ୍ରାସ ପାଇଥିବା କୁହା ଯାଇଛି।