
ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ୩ ମୃତ
ନୟାଗଡ଼ ଜିଲ୍ଲାର ନୟାଗଡ଼-ଭଂଜନଗର ୨୧ ନଂ. ରାଜ୍ୟ ରାଜପଥର ଓଡ଼ଗାଁ ଥାନା ଗୋଡିପଲ୍ଲୀ ନିକଟ ପଟ୍ଟନାୟକ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବୁଲେଟ ଓ ଟିଭିଏସ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ବାଣ୍ଠପୁର ପଞ୍ଚାୟତ ଚେମେଡି ଗ୍ରାମର ମୋହନ ବାରିକ ବୁଲେଟ୍ (ନଂ.ଓଡି୨୫କ୍ୟୁ-୯୨୮୫)ରେ ଘରୁ ବାହାରି କୋମଣ୍ଡ-ବାଘୁଆ ଛକ ହୋଇ ଆସୁଥିଲେ। ସେତିକିବେଳେ କେନ୍ଦ୍ରାପଡ଼ାର ସନ୍ତୋଷ କୁମାର ରାଉତରାୟ(୩୫) , ସମ୍ପର୍କୀୟ ଭାଇ ଗଞ୍ଜାମ ଜିଲା କରସିଂ ଗ୍ରାମର ସିଲୁ ନାୟକ(୨୪) ବାଇକ୍(ନଂ.ଓଡି୨୯ଡି-୨୪୪୮)ରେ ଗାଁକୁ ଯାଉଥିଲେ। ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ବୁଲେଟ୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡି ସହିତ ୩ଜଣ ବାଇକ୍ ଆରୋହୀ ପ୍ରାୟ ୧୦ଫୁଟ ଉପରକୁ ଉଠି ରାସ୍ତା ଉପରେ କଚାଡି ହୋଇ ପଡି ଗୁରୁତର ହୋଇଥିଲେ। ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ୨ଟି ଗାଡି ସହ ୩ଟି ମୋବାଇଲ ଫୋନ ସହିତ ମୃତଦେହ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ମୋହନ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେ ନୂଆଁ ବୁଲେଟ୍ କିଣିଥିଲେ। ୨ ବାଇକ୍ ଆରୋହୀ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ସନ୍ତୋଷ ନିଜ ମାମୁଁ ପୁଅ ଭାଇ ସିଲୁଙ୍କ ସହିତ ସଉଦା କରିବାକୁ ଆସି କରସିଂ ଫେରୁଥିବା ଜଣାପଡିଚି।