
ରାଜ୍ୟର ବିଭିନ୍ନ ଜିଲ୍ଲା ଓ ନିମ୍ନ ଅଦାଲତରେ ଏବେ ମୋଟ ୧୯ ଲକ୍ଷ ୯୭ ହଜାର ୩୧୭ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି !ସେଥିରୁ ଫୌଜଦାରୀ ମାମଲା ସଂଖ୍ୟା ୧୬ ଲକ୍ଷ ୮୪ ହଜାର ୪୩୨ ଏବଂ ଦେଓ୍ୱାନୀ ମାମଲା ସଂଖ୍ୟା ୩ ଲକ୍ଷ ୧୨ ହଜାର ୮୮୫ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି !
ସବୁଠାରୁ ଅଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରେ ୨ ଲକ୍ଷ ୧୩ ହଜାର ୬୨୧ ଥିବା ବେଳେ ସେଥିରୁ ଫୌଜଦାରୀ ମାମଲା ହେଉଛି ୧ ଲକ୍ଷ ୬୮ ହଜାର ୪୩୮ ! ତା’ ପଛକୁ କଟକ ଜିଲ୍ଲାରେ ମୋଟ ୨ ଲକ୍ଷ ୫ ହଜାର ୬୫୬ ବିଚାର ଅପେକ୍ଷାରେ ରହିଛି ଯେଉଁଥିରୁ ଫୌଜଦାରୀ ମାମଲା ସଂଖ୍ୟା ୧ ଲକ୍ଷ ୬୮ ହଜାର ୪୬୩ ! ଗଞ୍ଜାମ, ସୁନ୍ଦରଗଡ଼, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଏକ ଲକ୍ଷ ଉପରକୁ ମାମଲା ବିଚାର ଅପେକ୍ଷାରେ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ରହିଛି ସବୁଠାରୁ କମ୍ ମାମଲା ! ତଦନ୍ତକାରୀ ପୋଲିସ ଅଧିକାରୀ, ଡାକ୍ତର, ଫୋରେନ୍ସିକ୍ ଟିମ୍, ସାକ୍ଷୀ ଏବଂ ଅଭିଯୁକ୍ତମାନେ ଆବଶ୍ୟକ ସମୟରେ କୋର୍ଟକୁ ନ ଆସିବା ଯୋଗୁଁ ହିଁ ଅପରାଧିକ ମାମଲା ଗୁଡ଼ିକର ବିଚାର ପ୍ରକ୍ରିୟା ବିଳମ୍ବ ହେବାର ପ୍ରମୁଖ କାରଣ ବୋଲି ସରକାର ହୃଦବୋଧ କରୁଛନ୍ତି ! ଅନ୍ୟପଟେ ଅଦାଲତ ନିର୍ଦ୍ଦେଶ ଅବମାନନା କରୁଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଦାଲତ ଦ୍ୱାରା ଜାରି ହେଉଥିବା ଜାମିନ ବିହୀନ ଗିରଫ ପରୱାନାକୁ ପୋଲିସ ଦ୍ୱାରା କାର୍ଯ୍ୟକାରୀ ନ କରାଯିବା, ବିଭିନ୍ନ ବାହାନାରେ ଓକିଲମାନଙ୍କ ଦ୍ୱାରା ବାରମ୍ବାର ତାରିଖ ପାଇଁ ଆବେଦନ କରାଯିବା, ତଦନ୍ତ ରିପୋର୍ଟ, ରାସାୟନିକ ରିପୋର୍ଟ ଓ ମୃତ୍ୟୁ ରିପୋର୍ଟ ଆଦି ସଠିକ ସମୟରେ କୋର୍ଟରେ ଦାଖଲ ନ ହେବା ଏବଂ ଅଭିଯୁକ୍ତମାନେ ଯଥା ସମୟରେ ଉପସ୍ଥିତ ନ ରହିବା ଆଦି କାରଣରୁ ହିଁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଛି ! ସେହିଭଳି ପ୍ରତ୍ୟହ ପୁଣି ନୂଆ ମାମଲା ଆସୁଥିବାରୁ କୋର୍ଟରେ ମାମଲା ସଂଖ୍ୟା ସ୍ୱାଭାବିକ ଭାବେ ବଢ଼ୁଥିବା ନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି !