
ଓଡ଼ଗାଁ ଆଦର୍ଶ ଥାନା ଓଡ଼ଗାଁ ସହରର ଫିଲ୍ମ ହଲ ନିକଟରେ ଭଡ଼ାଘରେ ରହୁଥିବା ନିରୁପମା ବିଶ୍ବାଳ(୩୫) ସ୍ୱାମୀଙ୍କ ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ପରେ ଓଡ଼ଗାଁ ଡାକ୍ତରଖାନା ଓ ପରେ ତାଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଓଡ଼ଗାଁ ସହର ଅନ୍ତର୍ଗତ ମାନପୁର ଗ୍ରାମର ନିରୁପମା ବିଶ୍ବାଳ କୁରାଳ ବାଲିସାହିର ହେମନ୍ତ ବିଶ୍ବାଳଙ୍କୁ ବିଦ୍ଧିମତେ ବିବାହ କରିଥିଲେ । ତେବେ ବିଭିନ୍ନ ସମୟରେ ସ୍ବାମୀ ହେମନ୍ତଙ୍କ ଦ୍ବାରା ମାରପିଟ୍, ଗାଳିଗୁଲଜ ଭଳି ନିର୍ଯାତନାକୁ ସହ୍ୟ କରିନପାରି ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅଲଗା ରହିଆସୁଥିଲେ । ତାଙ୍କର ଥାନା ଓ କୋର୍ଟ କଚେରିରେ ଏନେଇ ମାମଲା ଚାଲୁରହିଛି । ଏଭଳି କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ଉକ୍ତ ଘଟଣାକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ତେବେ ନୀରୁପମା ମଙ୍ଗଳବାର ଦିନ ସକାଳେ ପାର୍କ ସାମ୍ନା ଭଡ଼ାଘରେ ଏକାଥିବା ଖବରପାଇ ତାଙ୍କ ସ୍ବାମୀ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନୀରୁପମାଙ୍କ ମା’ କହିଛନ୍ତି । ନୀରୁପମାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ବାମ ଗୋଡ଼ ପାଦ, ନଳୀ ଗଣ୍ଠି ସହିତ ବାମହାତ ଆଙ୍ଗୁଠି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ନିର୍ଦ୍ଦେଶରେ ଏ ଏସ ଆଇ ମନୋରଞ୍ଜନ ଦେହୁରୀଙ୍କ ଟିମ୍ ସଂଗେସଂଗେ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଦେଇଥିବା ଜଣାପଡିଛି ।




