
ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡିବା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ଦେଇଛି। ବିଜେଡ଼ି ଓ କଂଗ୍ରେସ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଯଦି ଆମ ଦଳର ଅଧିକ ଅଣଛାତ୍ର ଥିଲେ, ତାହାଲେ ଆମେ ପ୍ରତିକ୍ରିୟାଶୀଳ ହେବା କଥା। ଏଥିରେ ବିଜେଡି ଓ କଂଗ୍ରେସ ଦଳକୁ କାହିଁକି ଝଟକା ଲାଗୁଛି। ସେମାନେ କାହିଁକି ବିଚଳିତ ହେଉଛନ୍ତି ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ପ୍ରଶ୍ନ କରିଛନ୍ତି। କୌଣସି ଆକ୍ସନ ବେଳେ ଯିଏ ପ୍ରତିକ୍ରିୟାଶୀଳ ହୁଏ ସେ ହିଁ ଦୋଷୀଉତ୍କଳ ବିଶ୍ଵବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ କରିଛନ୍ତି। ଯାହା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେଥିରେ ଶିକ୍ଷାର ମଙ୍ଗଳ ହେବ। ବହୁତ ଦିନର ଦାବି ଥିଲା ପୂରଣ ହୋଇଛି। ସେଥିପାଇଁ ସରକାରଙ୍କୁ ସାଧୁବାଦ ଜଣାଉଛୁ। ଆଗାମୀ ଦିନରେ ଅନ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଅଭିଳାଷ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି।
ବିଜେଡି ଛାତ୍ର ନେତ୍ରୀ ମୋହନ ସରକାରଙ୍କୁ ଦହନ ସରକାର କହିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ କହୁଥିବା ଅପଶବ୍ଦ ତାଙ୍କର ଦଳ ପରିଚୟ ଓ ମର୍ଯ୍ୟାଦାକୁ ଦର୍ଶାଉଛି। ମୋହନ ମାଝୀ ଦେଢ଼ ବର୍ଷ ଭିତରେ ଓଡ଼ିଆ ଲୋକଙ୍କ ମନରେ ଘର କରିଛନ୍ତି। ୨୫ ବର୍ଷରେ ନବୀନ ବାବୁ ଯେତିକି ଲୋକଙ୍କୁ ଭେଟି ନଥିବେ ମୋହନ ମାଝୀ ତାହାର ୧୦୦ ଗୁଣା ଅଧିକ ଲୋକଙ୍କ ଭେଟି ସାରିଲେଣି ବୋଲି ଅଭିଳାଷ କହିଛନ୍ତି।ଛାତ୍ର ନିର୍ବାଚନ ନେଇ ସେ କହିଛନ୍ତି, ସରକାର ରାଜ୍ୟରେ ଶିକ୍ଷା ନୀତିରେ ସଂସ୍କାର ଆଣୁଛନ୍ତି। ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶକୁ ଗୁରୁତ୍ୱ ଦେଉଛନ୍ତି। ଶିକ୍ଷାନୁଷ୍ଠାନରେ ନେତୃତ୍ୱ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେଣୁ ଆମ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ।




