
ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ହେବ।
ଉକ୍ତ ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ୭୫ ହଜାର ଶିକ୍ଷକ ପରୀକ୍ଷା ଦେବେ। ଏଥି ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ହୋଇଛି ।ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପେପର-୧ ଓ ପେପର-୨ ପାଇଁ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ। ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଥିଲେ। ହଠାତ ସକାଳୁ ସକାଳୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ଫଳରେ ପରୀକ୍ଷାର୍ଥୀମାନେ ନିରାଶ ହୋଇଥିଲେ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଥିଲା। ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଥିଲା। ଗତମାସ ୧ ତାରିଖ ଦିନ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଅଗଷ୍ଟ ୩୧ ତାରିଖ ଦିନ ସ୍ପେଶାଲ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପୁଣି ଥରେ ସ୍ଥାଗିତ ରଖାଯାଇଥିଲା।