ରଣପୁର:ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ହାଜତ ଭିତରେ ପୁଅ ଓ ଦୃଷ୍ଟିହୀନ ବାପା ଙ୍କୁ ମାଡମରା ସହିତ ଅଭିଯୁକ୍ତଙ୍କୁ ନିର୍ଯାତନା ଘଟଣାରେ ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ। ଦୁଚନା ଅନୁସାରେ ରଣପୁର ଥାନା ଅନ୍ତର୍ଗତ ଲତାର ଗ୍ରାମର ଦୃଷ୍ଟିହୀନ ବାପା ପୁର୍ଣଚନ୍ଦ୍ର ରାୟ ଓ ପୁଅ ସମ୍ବିତ ରାୟଙ୍କୁ ଗତ ଗୁରୁବାର ସ୍ଥାନୀୟ ଅବକାରୀ ବିଭାଗ ଘରୁ ଗିରଫ କରିଥିଲା। ତାଙ୍କ ଠାରୁ ୫ ଲିଟର ସ୍ପିରିଟ ସହିତ କିଛି ଠିପି କାଚ ବୋତଲ କୁ ମଧ୍ୟ୍ୟ ଜବତ କରିଥିଲା ।ବାପ ପୁଅ ଙ୍କ ନାମରେ ଅବକାରୀ ଥାନାରେ ମାମଲା ନମ୍ବର ୨ ଏସିସି ୪୨/୨୦୨୫ ରୁଜୁ କରି ଗୁରୁବାର ଅପରାହ୍ଣ ରେ ରଣପୁର କୋର୍ଟ କୁ ଚାଲାଣ କରିଥିଲା l ତେବେ ହାଜତରେ ଅଭିଯୁକ୍ତ ଦ୍ୱୟଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଙ୍କ ପକ୍ଷରୁ ଓକିଲ ନୃସିଂହ କୁମାର ବର୍ଦ୍ଧନ ସାମନ୍ତ ମୋକଡ଼ମ ଦାୟର କରିଛନ୍ତି ଆଇନଜୀବୀ ନୃସିଂହ କୁମାର ବର୍ଧନଙ୍କ ସୂଚନା ଅନୁଯାୟୀ, ରଣପୁର ଅବକାରୀ ଥାନା ହାଜତରେ ତାଙ୍କ ମହକିଲଙ୍କୁ ଅମାନୁଷିକ ଭାବେ ମାଡ ମାରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି। ଅଭିଯୋଗକୁ ଗ୍ରହଣ କରି ରଣପୁର ମାଜିଷ୍ଟ୍ରେଟ ପୁଣ୍ୟସ୍ଲୋକ ଦାଶ ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିବା ସହ ରଣପୁର ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଭିଯୁକ୍ତଙ୍କୁ ଚିକିତ୍ସା କରାଇ ଡାକ୍ତରଙ୍କ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ଅପର ପକ୍ଷରେ ଅବକାରୀ ଥାନା ଉପନିରୀକ୍ଷକ ଅର୍ପିତାରାଣୀ ସାହୁ କୁହନ୍ତି, କଟକ ଅବକାରୀ ସ୍କ୍ୱାଡ୍ ସହ ମିଳିତ ଚଢାଉ ହୋଇଥିଲା। ମୁଁ ହାଜତରେ ନିର୍ଯାତନା କାହାରିକି ଦେଇନାହିଁ। ରଣପୁର ଜେଲ ସୁପରିଣ୍ଟେଣ୍ଡେଣ୍ଟ ବିନାୟକ ସାହୁ କୁହନ୍ତି ଆମ୍ଭେ ବିଚାରାଧୀନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହ ଡାକ୍ତର ଦେଇଥିବା ରିପୋର୍ଟ ଅଦାଲତରେ ଦାଖଲ କରିଛୁ। ଅଭିଯୁକ୍ତଙ୍କ ଓକିଲ ଏ ନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏଭଳିସ୍ଥଳେ କୋର୍ଟ ଅଭିଯୁକ୍ତ ବାପା ଓ ପୁଅ ଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି।